ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା

ବୁଡ ପକାଇଲେ ୨ଲକ୍ଷ ଶ୍ରଦ୍ଧାଳୁ, ଓଡ଼ିଶା ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା ଅବସରରେ ତୀର୍ଥରେ ପ୍ରାୟ ୨ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇ ସୂର୍ଯ୍ୟ ଦର୍ଶନ କରିଥିବା ଅନୁମାନ କରାଯାଉଛି। ମାଘ ଷଷ୍ଠୀ ଦିନରେ ମେଳା ପଡିଆରେ ବହୁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଅସ୍ଥାୟୀ ଟେଣ୍ଟ ଓ କୁଡିଆ କରି ରହିଥିଲେ। ମାଟି ହାଣ୍ଡିରେ ଭାତ ଡାଲମା ରୋଷେଇ କରି ଖାଇବା ସହ ହାଣ୍ଡି ଭଙ୍ଗା ପୋଖରୀରେ ହାଣ୍ଡି ଭାଙ୍ଗି ଥିଲେ। ଅପରପକ୍ଷରେ ତିନି ଆରାଧ୍ୟ ଦେବତା ବାବା ତ୍ରିବେଣିଶ୍ୱର, ଐଶାନେଶ୍ୱର୍ ଓ ଦକ୍ଷିଣେଶ୍ୱର ମହାଦେବ ନିଜ ନିଜ ବିଜେସ୍ଥଳୀରୁ ସୁସଜ୍ଜିତ ବିମାନ ସାହାର୍ଯ୍ୟରେ ଶୋଭାଯାତ୍ରା ସହ ଆସି କୋଣାର୍କ ଏନଏସି ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ବିରାଟ ପଟୁଆରରେ ଚନ୍ଦ୍ରଭାଗା ତୀର୍ଥକୁ ଠାକୁର ଆସିଥିଲେ।

ସେବାୟତ ମାନେ ତୀର୍ଥରେ ସ୍ନାନ ପରେ ତୀର୍ଥ ଜଳ ନେଇ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ। ସ୍ନାନ ଜଳ ତୀର୍ଥ ପୁଷ୍କରିଣୀରେ ସମାପନ କରାଯିବା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ ପକାଇଥିଲେ। ପରେ ଶ୍ରଦ୍ଧାଳୁ ମାନେ ମହୋଦଧି ତଟରେ ସୂର୍ଯ୍ୟ ପୂଜାର୍ଚ୍ଚନା ଓ ଦର୍ଶନ ସାରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଫେରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ପରିଚାଳନା କରାଯାଇଥିଲା। ପୁର୍ବରୁ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ସଫେଇ, ମେଳା ପଡ଼ିଆ ସଫେଇ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା, ବାରିକେଡ୍ ବ୍ୟବସ୍ଥା ଆଦି ସୁଚାରୁରୂପେ ବନ୍ଦୋବସ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *