ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର (୧୦/୨): ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶ କରିବାରେ ଏହା ନିଶ୍ଚିତ ରୂପେ ସହାୟକ ହେବ। କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯେପରି ବ୍ଲକ ସ୍ତରରେ ପହଂଚି ପାରିବ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ତାହା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।ଆଜି କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଷ୍ଟାଡ଼ିୟମର ମାଷ୍ଟର ପ୍ଲାନ ଏବଂ ରୂପରେଖକୁ ଏକ ପ୍ରେସେଣ୍ଟେସନ ଓ ପ୍ରତିକାତ୍ମକ ଭିଡ଼ିଓ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥାପିତ କରିଥିଲେ।ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ଅନୁଯାୟୀ ବ୍ଲକ ସ୍ତରୀୟ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ବ୍ୟବସ୍ଥା ଉପଲବ୍ଧ ହେବ। କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଏହା ଏକ କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ। ଷ୍ଟାଡିୟମରେ ଫୁଟବଲ/କ୍ରିକେଟ ପଡିଆ, ଆଥଲେଟିକ ଟ୍ରାକ, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ। ଏଥିସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟାଡିୟମର ଇଣ୍ଡୋର ହଲରେ ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ, ଜିମନାଷ୍ଟିକ, ଭାରୋତ୍ତୋଳନ ଆଦି ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ।ଏଥିସହ ପ୍ରତିଟି ଷ୍ଟାଡିୟମରେ ସାଧାରଣ ସୁବିଧା କେନ୍ଦ୍ର ରହିବା ସହ ଷ୍ଟାଡିୟମର ବାହ୍ୟ ବିକାଶ, ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ।କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।ତୃଣମୂଳ ସ୍ତରରେ ସୁଦୃଢ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ହେବା ସହ କ୍ରୀଡ଼ାବିତମାନେ କ୍ରୀଡ଼ା ଜଗତରେ ଯେପରି ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବେ ସେ ଦିଗରେ ଗୁରୁତ୍ୱାରୋପ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *