ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ଉଦଘାଟିତ

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ଉଦଘାଟିତ
 ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ବିକାଶ ପାଇଁ ତିନି ଦିନ ବ୍ୟାପୀ ମାନସ ମନ୍ଥନ
 ମତ୍ସ୍ୟ ଓ ପ୍ରାଣିପାଳନ ଭିତ୍ତିକ କୃଷି ଅର୍ଥନୀତି ଓଡ଼ିଶାର ପ୍ରଗତିକୁ ବହୁଗୁଣିତ କରିବ: ମୁଖ୍ୟ ଅତିଥି
 ବିକଶିତ ଓଡ଼ିଶାର ସାରଥି ହେବେ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ : ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ
 ଚାଷୀଙ୍କ ଆୟ ଦୁଇ ଗୁଣା କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ: ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର, ତା ୧୪/୦୨:
ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧିର ମହାକୁମ୍ଭ ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫” ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ମତ୍ସ୍ୟ ଓ ପ୍ରାଣିପାଳନ ଭିତ୍ତିକ କୃଷି ଅର୍ଥନୀତି ଓଡ଼ିଶାର ପ୍ରଗତିକୁ ବହୁଗୁଣିତ କରିବାରେ ସହାୟକ ହେବ ।
ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମାବେଶରେ ଯୋଗ ଦେଇ କହିଛନ୍ତି, “ବିକଶିତ ଓଡ଼ିଶା ଗଠନରେ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ସାରଥି ସାଜିବେ । ଜୀବନ୍ତ ପ୍ରଦର୍ଶନୀରୁ ପ୍ରତ୍ୟକ୍ଷ ଉପଲବ୍ଧି ଆହରଣ, ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନାର୍ଜନ, ବିଶେଷଜ୍ଞଙ୍କ ଠାରୁ ମାର୍ଗଦର୍ଶନ, ସଫଳ ଚାଷୀଙ୍କ ସହ ଭାବ ବିନିମୟ ଦ୍ଵାରା ପ୍ରେରିତ ହୋଇ ଚାଷୀମାନେ ଏହାକୁ କର୍ମ କ୍ଷେତ୍ରରେ ପ୍ରୟୋଗ କଲେ ସେମାନଙ୍କ ସାମାଜିକ-ଆର୍ଥିକ ସଶକ୍ତିକରଣ ହୋଇପାରିବ ବୋଲି କହିଛନ୍ତି । ଚାଷୀଙ୍କ ଆୟ ଦୁଇ ଗୁଣା କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।
୨୦୨୫ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ ଓ ପ୍ରାଣିପାଳନ, ଜୀବନଜୀବିକା ଜୈବସନ୍ତୁଳନ ।” ମୋଟ ୧୦ଟି ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜନ ହୋଇଛି । “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ସିଧାସଳଖ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକ । ୨ଟି ହ୍ୟାଙ୍ଗର୍ ରେ ପ୍ରାୟ ୨୦୦ ଟି ଷ୍ଟଲ୍‌ ରେ ମତ୍ସ୍ୟ, ପ୍ରାଣିପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହୋଇଛି । ସେହିପରି ୨ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ପ୍ରଦର୍ଶନୀ କରାଯାଇଛି ।
ସମାବେଶରେ ଆକର୍ଷଣର କେନ୍ଦ୍ର ସାଜିଛି ରାଜସ୍ଥାନର ମଇଁଷି ଷଣ୍ଢ ‘ଭୀମ’ । ଆନ୍ଧ୍ରପ୍ରଦେଶର ‘ପୁଙ୍ଗାନୁର’ ଗାଈ ସମାବେଶର ଅନ୍ୟତମ ଆକର୍ଷଣ ସାଜିଛି । ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ବୁଲିବାକୁ ଆସି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଏହି ଉଦ୍ଘାଟନ ସମାରୋହରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଏମପେଡାର ଅଧ୍ୟକ୍ଷ ଡି ଭି ସ୍ଵାମୀ, ୱାର୍ଲ୍ଡଫିସର ମହାନିର୍ଦ୍ଦେଶକ ଡକ୍ଟର ଏସାମ ୟାସିନ ମହମ୍ମଦ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସ୍ୟଚାଷୀ, ପ୍ରାଣିପାଳକ ପ୍ରମୁଖ ଉପସ୍ଥିତ ଥିଲେ । ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।
ଆସନ୍ତାକାଲି ‘ଡଗ ସୋ’ ପ୍ରଦର୍ଶନ ହେବ । ଏଥିରେ ବିଭିନ୍ନ ପ୍ରଜାତିର କୁକୁରଙ୍କୁ ପ୍ରଦର୍ଶିତ କରାଯିବ । ସେହିପରି ରବିବାର ଦିନ ‘ମନ୍ତ୍ରୀଙ୍କୁ ପଚାରନ୍ତୁ’ କାର୍ଯ୍ୟକ୍ରମରେ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ସେମାନଙ୍କ ମନରେ ଥିବା ପ୍ରଶ୍ନ ପଚାରିପାରିବେ । ସାଧାରଣ ଲୋକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକ ।

Leave a Reply

Your email address will not be published. Required fields are marked *