ଶିଶୁ ବିକାଶ ବିଦ୍ଯାମନ୍ଦିରର ଚତୁର୍ଥ ବାର୍ଷିକୋତ୍ସବ
ଶିଶୁ ବିକାଶ ବିଦ୍ଯାମନ୍ଦିରର ଚତୁର୍ଥ ବାର୍ଷିକୋତ୍ସବ ପୁରୀ,୨୩/୨-ପୁରୀ ମଙ୍ଗଳାଘାଟ ସ୍ଥିତ ଶିଶୁ ବିକାଶ ବିଦ୍ଯାମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସର ସହ ଚତୁର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ଯ ଅତିଥି ଭାବେ ସଦରବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପିଲାମାନେ ଏକାଗ୍ରତା, ନିଷ୍ଠା, ସତ୍ଯ ଓ ନିର୍ଭିକ ହୋଇ ଭଲ ପାଠ ପଢି ବିଦ୍ୟାଳୟର ନାମ ରଖିବା ସହ ଦେଶ ବିଦେଶରେ ନାମ ରଖିବା ଓ ଶାରୀରିକ ସୁସ୍ଥ ପାଇଁ ଖେଳ କସରତ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ପାଦକ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓଡ଼ିଶାର ବିଷ୍ଣୁ ପ୍ରସାଦ ଆଚାର୍ଯ୍ଯ କହିଲେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ବିଦ୍ଯାମନ୍ଦିରର ସମ୍ପାଦକ ବିଜୟ କୁମାର ରାଉତରାୟ ଓ ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀପ୍ରିୟା ରାଉତରାୟ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଫୁଲଗଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା । ଅଭିଭାବକ ଓ ଗୁରୁଜୀ ଗୁରୁମା ମାନେ ମିଶି ପିଲାମାନଙ୍କ ଶିକ୍ଷା ଓ ଚରିତ୍ର ଗଠନ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା

। ନୃତ୍ଯ ଗୁରୁ ଗୁରୁମା, ଅଚାର୍ଯ୍ଯ ଆଚାର୍ଯ୍ଯା ଓ ବିଦ୍ୟାଳୟର ମାଉସୀଙ୍କୁ ମଧ୍ଯ ଉପଢୌକନ ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧାନ ଆଚାର୍ଯ୍ଯା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗୀନ ଆଲୋକର ଝଲମଲ ସହ ବାଜାର ତାଳେ ତାଳେ କୁନି କୁନି ପିଲାମାନଙ୍କ ନୃତ୍ଯର ଛନ୍ଦ ତାଳ ଲୟ ଦେଖି ଦର୍ଶକ ହୋଇଥିଲେ ଭାବବିହ୍ବଳ । ଅଭିଭାବକ, ଗୁରୁଜୀ ଗୁରୁମା ଓ ଦର୍ଶକଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ ଛାତ୍ରଛାତ୍ରୀ । କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ଗୁରୁଜୀ ଗୁରୁମାଙ୍କ ସମେତ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ଯ, ସହଯୋଗୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ଯ ମଣ୍ଡିତ କରିଥିଲେ ।
