ପ୍ରଭୁ ! ସକଳ ତୀର୍ଥ ତବ ଚରଣେ

   ପ୍ରଭୁ ! ସକଳ ତୀର୍ଥ ତବ ଚରଣେ

    🖊କବିରତ୍ନ ନୂତନ କୁମାର ବେହେରା

   ଭବେ ଭାବ ଭକ୍ତି ବିନା ମିଳେନା ତ କିଛି
      ମାନବର କର୍ମ ସାଥେ ଥାଏ ଜଡ଼ିତ
                ଚିନ୍ତା ଚେତନାରୁ
             ହୋଇଥାଏ ଯା’ ଜାତ,
  ତ୍ରିଭୁବନର ପରମ ବଡ଼ଠାକୁର ଜଗନ୍ନାଥ
        ସେ ଆଦି ଅନ୍ତ ସବୁର ସୃଷ୍ଟିକର୍ତ୍ତା
            ବିଶ୍ଵ ବ୍ରହ୍ମାଣ୍ଡର ନିୟନ୍ତା
  ସେ ସର୍ବବ୍ୟାପୀ ସର୍ବଜ୍ଞ ସର୍ବଶକ୍ତିମାନ
      ଦୃଶ୍ଯ ଅଦୃଶ୍ୟର ସାରା ଜଗତ।
              ପବିତ୍ର ମନେ ପ୍ରାଣେ
             ତାଙ୍କ ପାଦେ ରଖି ଧ୍ୟାନ 
ଆରାଧନା ଉପାସନା କରିବା ହିଁ ପୁଣ୍ୟକର୍ମ,
       ସେ ସବୁ ତୀର୍ଥର ପରମ କାରଣ
         ସକଳ ତୀର୍ଥେ ତାଙ୍କର ମହିମା
        ଆଚରଣେ ପାଳିବା ଅଟଇ ଧର୍ମ।
ଆଧ୍ୟାତ୍ମିକ ଚେତନାର ମୁକ୍ତିମାର୍ଗ ପୁଣ୍ୟପୀଠ
           ସୁନ୍ଦର ମନୋରମ ଯା’ର
              ପ୍ରାକୃତିକ ପରିବେଶ,
              ମନ୍ଦିର ମସଜିଦ୍ ଗିର୍ଜା
   ଦେବା ଦେବୀଙ୍କ ଆସ୍ଥାନ ଅବା ଆଶ୍ରମ
                  କି ଗୁରୁଦ୍ଵାର
               ଯହିଁ ପବିତ୍ର ମନେ
        ଭକ୍ତବୃନ୍ଦବୃନ୍ଦା କରନ୍ତି ପ୍ରବେଶ।
   ବହୁ ପ୍ରାଚୀନ କାଳରୁ ମୁନି ଋଷିଗଣଙ୍କ
     ମହତ ଉଦ୍ଦେଶ୍ୟେ ହୋଇଛି ପ୍ରତିଷ୍ଠା,
    ତୀର୍ଥ ସ୍ଥାନ ଭାବେ ସେ ସବୁ ବିଖ୍ୟାତ
             ସେ ସ୍ଥାନ କରି ଦର୍ଶନ 
          ବ୍ୟକ୍ତି ବିଶେଷ ପାଳନ୍ତି ନିଷ୍ଠା।
    ମଣିଷ ହୃଦୟେ ରହିଛି ଭରସା ବିଶ୍ଵାସ
           ତୀର୍ଥ କଲେ ମିଳଇ ମୋକ୍ଷ,
     ପାପ ତାର କ୍ଷୟ ହୁଏ ପାଏ ସେ ପୁଣ୍ୟ
         ସାଧିତ ହୁଏ ତା’ ଜୀବନ ଲକ୍ଷ୍ୟ।
                  ତୀର୍ଥର ତିନି ଅଂଶ
                    କାମ ଅର୍ଥ ଧର୍ମ,
         ସାକାର ହୁଏ ସବୁ କଲେ ସୁକର୍ମ।
          ପରିଭ୍ରମଣ ପର୍ଯ୍ୟଟନେ ଲୋଡ଼ା
                କାମନା(ଇଚ୍ଛା) ଅର୍ଥ
             ଧାରଣେ ତାର ଧର୍ମ ପାଳନ,
       ଦିବ୍ୟ ଚେତନାରେ ଆଣେ ଜାଗରଣ।
  ମାନସିକତା ରହେ ଯେବେ ସମୂହ କଲ୍ୟାଣେ,
     ହୃଦେ ଆସେ ଶାନ୍ତି ସନ୍ତୋଷ ଅନୁକ୍ଷଣେ।
      ମନ ପ୍ରାଣ ଆତ୍ମା ତ୍ରିଶକ୍ତିର ସମାବେଶ
       ତାର ସଂସ୍କାରର ମାର୍ଗ ଅଟେ ତୀର୍ଥ,
       ମହାଚେତନାର ପରମ ପରଂବ୍ରହ୍ମ
    ଆତ୍ମଦର୍ଶନେ ହୁଏ ତାଙ୍କର ସାକ୍ଷାତକାର
      ମୋକ୍ଷ ପାଇବାକୁ ହୁଏ ସେ ସାମର୍ଥ।
ସେ ମହାପ୍ରଭୁଙ୍କୁ ଭୁଲି ଯେତେ ପାର୍ଥିବ କର୍ମ
    କଲେ ନୁହେଁ ତାହା ସତ୍ୟ ଧର୍ମ ନ୍ୟାୟ
  ଦୟା କ୍ଷମା ଯେତେ ତାଙ୍କର ଅମୃତବାଣୀ,
           “ପ୍ରଭୁ ! ସକଳ ତୀର୍ଥ ତବ ଚରଣେ,
            ବଦ୍ରିକା ଯିବି କି କାରଣେ” ?
      ସୂଚାଇ ଦିଏ ଭାଗବତର ମହତ ବାଣୀ
         ଅନୁଭବେ ତାର ମୁକ୍ତି ପାଏ ପ୍ରାଣୀ।

କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *