ରେ ଶକୁନି ମହାଖଳନାୟକ
ରେ ଶକୁନି ମହାଖଳନାୟକ
🖊କବିରତ୍ନ ନୂତନ କୁମାର ବେହେରା
ରେ ଶକୁନି… ମହାଭାରତରେ ତୁ
ଅଦ୍ଭୁତ ବିଚିତ୍ର କ୍ରୂର ମହା ଖଳନାୟକ
ଭୟଙ୍କର ତୋର ସ୍ବଭାବ ଚରିତ୍ର
କପଟ ପଶାର ନିଶାରେ ଖେଳି ଖେଳାଇଲୁ
ଯେଉଁ ଲୋମହର୍ଷଣକାରୀ ଖେଳ
ତାର କୁପରିଣାମ ବ୍ୟାପିଗଲା ସର୍ବତ୍ର
କୁରୁକ୍ଷେତ୍ରରେ ହେଲା ଅଠର ଦିନ ମହାଯୁଦ୍ଧ
ବହିଲା ରକ୍ତନଦୀର ଖରସ୍ରୋତ
ଅସଂଖ୍ୟ ନିରୀହ ହେଲେ କ୍ଷତ ବିକ୍ଷତେ ବଧ
ସଙ୍ଗେ ମାନୀ ଦୁର୍ଯ୍ୟୋଧନ କୌରବ ସମୂହ
ଶେଷେ ତୋର ବି ହେଲା ବିନାଶ
ଘୁଞ୍ଚିଲା କି ତୋ ଜୀବନର କ୍ଳେଶ ?
କପଟ ପଶା ଖେଳର ପରାଭବ
ପାଇ ବି ତୁ ସୁଧୁରିଲୁ ନାହିଁ ଜମାରୁ
ଏ ଜନ୍ମରେ ପୁଣି ମାତିଛୁ ସେ ଖେଳରେ
ଭୁଲି ଗଲୁ କେମିତି ଭୀଷ୍ମଙ୍କ ଶପଥ
ଦେଖି ତ୍ରସ୍ତେ ସ୍ତବ୍ଧ ହେଲୁ ନାହିଁ
ବୀର ଅର୍ଜୁନଙ୍କ ଗାଣ୍ଡିବର ସେ ଟଙ୍କାର
ହୃଦୟ ତୋର ତରଳିଲା ନାହିଁ
ଦେଖି ଯାଜ୍ଞସେନୀଙ୍କ ଆକୁଳ ନିବେଦନ
ନିର୍ଯ୍ୟାତନା ଦେବାରେ ଯୋଗାଇଲୁ ଇନ୍ଧନ
ମାତୃଜାତିର କଲୁ ଅବମାନନା
ଆର୍ଯ୍ୟ ସଂସ୍କୃତିର ପରମ୍ପରା ଭାଙ୍ଗି
ଅକାଳେ ଘଟାଇଲୁ ଘୋର ବିଡ଼ମ୍ବନା
ମହାମାନୀ ଅହଂକାରୀ ଗର୍ବୀ ଦୁର୍ଯ୍ୟୋଧନକୁ
ଅନ୍ଧ ଧ୍ରୃତରାଷ୍ଟ୍ରଙ୍କୁ ଦେଖାଇଲୁ ଭେଳିକି
ତୋ ଚରିତ୍ରର ଏ କି ଦୂରଭିସନ୍ଧି…
ହସ୍ତିନାପୁରରେ ଖେଳିଲା ହାହାକାର,
ଆରେ ତୁ ତ ଥିଲୁ ଗାନ୍ଧାରର ଯୁବରାଜ
କଣ ଅଧିକ ଥିଲା ଦରକାର…?
ଭଗ୍ନୀ ଗାନ୍ଧାରୀ ମହୀୟସୀ ସେ ତ ପୂଜ୍ୟା
ନାରୀ ଧର୍ମ ପାଳନେ ଚିର ପତିବ୍ରତା
ତାଙ୍କର ମହାନ ତ୍ୟାଗ ଆଦର୍ଶକୁ
ନ କରି ସ୍ଵୀକାର ଦେଖାଇଲୁ ଅହଙ୍କାର
ପ୍ରତିଶୋଧ ନେବାକୁ କଲୁ ତୁଚ୍ଛ ହୀନ ଚକ୍ରାନ୍ତ ?
ଶତ୍ରୁ ସାଥେ ନିରୀହଙ୍କୁ ମାରିବା କି
ତୋ ନିକଟେ ଥିଲା ଉଚିତ ନ୍ୟାୟ ?
ସ୍ପର୍ଦ୍ଧା କଲୁ ଅନନ୍ତକୁ କରିବୁ ବୋଲି ଅନ୍ତ
ବୁଝିଲୁନି ଥରେ ଚକ୍ରଧାରୀ ନାରାୟଣଙ୍କୁ
ନିରସ୍ତ୍ର ହେଲେ ବି ସାରଥୀ ଶ୍ରୀକୃଷ୍ଣ
ସବୁ ଅସ୍ତ୍ରର ଉର୍ଦ୍ଧରେ ସେ
ସୃଷ୍ଟି ସ୍ଥିତି ସଂହାରର ସର୍ବମୟ କର୍ତ୍ତା ସେ।
ଏବେ ବି ତୋର ସେଇ କୁଟଚକ୍ର ଦୁର୍ବୁଦ୍ଧି
ଜନ୍ମ ଜନ୍ମାନ୍ତରରେ ମଧ୍ୟ ହେଉନାହିଁ ପରିବର୍ତ୍ତନ
ଭାବିଛୁ କି ଛଳ ବଳ କୁଟ କପଟରେ
ଜୟ କରିଯିବୁ ଏ ଧରାକୁ…
କେବେ ତୁ ଜିତିଛୁ କି…
ନା’ ଆଉ କେହି ଜିତି ଯାଇଛନ୍ତି…
ନଜର ଟିକିଏ ପକା ଇତିହାସକୁ
ନିମିତ୍ତ ମାତ୍ର ପାଇଁ କରୁ କାହିଁକି ଆସ୍ଫାଳନ
ପାଇଛୁ ସୁନ୍ଦର ଦୁର୍ଲଭ ମାନବ ଜୀବନ
ସୁଖ ଶାନ୍ତିରେ ଉପଭୋଗ କର
ସମୂହ କଲ୍ୟାଣେ ମନ ନିବେଶ କର
କିଛି ଯଦି ନ ଲାଗୁଛି ଭଲ
ଅନ୍ତତଃ ନିଜର ସର୍ବନାଶ ସଙ୍ଗେ ସଙ୍ଗେ
କର ନା ତୁ ଅନ୍ୟର ଧ୍ଵଂସ କାମନା
ଆରେ ତୁ କିଏ…କଣ ତୋର ଅଧିକାର
କରିବାକୁ ସଂସାରର ମୀମାଂସା ?
କର୍ମର ଅଧିନରେ ସବୁ ପାପ ପୁଣ୍ୟ
ଭାଗ୍ୟ ତାର ସହଚର
ସତ୍ କର୍ମ ନ କଲେ ପାଇବୁନି
ଜନ୍ମ ଜନ୍ମ ଧରି ତୁ ନିସ୍ତାର
କେବଳ ମାତ୍ର କେତୋଟି ମୁହୂର୍ତ୍ତ ପାଇଁ
ତୋର ଏ ଆଡମ୍ବର ଅହଂକାର ଦମ୍ଭ ଗର୍ବ
ସମୟ ହେବା ଆଗୁରୁ ଥରେ ବୁଝି ଯା
ପାଇବୁ ପରମ ଶାନ୍ତି ସନ୍ତୋଷ
ଏ ଜନ୍ମ ତୋର ହୋଇବ ସାର୍ଥକ…
ନଚେତ୍ ଚାଲିଛି ଚାଲିଥିବ ମହାଭାରତ
ଆଉ ତୁ ହୋଇ ଚାଲିଥିବୁ ପରାପ୍ତ…।

କୋହି,ବାରିପଦା,ମୟୂରଭଞ୍ଜ।
