ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗାଁରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ମୃତ ମହିଳା ଜଣଙ୍କ ଅଁଳାବେରେଣୀ ଗାଁରେ ଚଞ୍ଚଳା ନାଏକ। ଚଞ୍ଚଳାଙ୍କ ମୁଣ୍ଡରେ ରହିଛି ଗଭୀର କ୍ଷତ। ଟାଙ୍ଗିଆରେ ହାଣି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଚଞ୍ଚଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଲିପୁ ନାଏକଙ୍କ ପାଖରେ ରହି ଆସୁଥିଲେ। ତେବେ ତାଙ୍କୁ ଗତ କାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ତୁମୁସିଙ୍ଗା ପୋଲିସ ଚଞ୍ଚଳାଙ୍କ ପୁଅ ଲିପୁ ନାଏକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରି ଦେଇଛି। ଚଞ୍ଚଳାଙ୍କ ପୁଅ ଲିପୁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସଡ଼ିପିଓ ପ୍ରକାଶ କରିଛନ୍ତି।
