ବିଜୁ ପଟ୍ଟନାୟକଙ୍କ ସ୍ମୃତି ପ୍ରତି ଓଡ଼ିଶା ସରକାରଙ୍କ ଅପମାନ ବିରୋଧରେ ବିକ୍ଷୋଭ
ବିଜୁ ପଟ୍ଟନାୟକଙ୍କ ସ୍ମୃତି ପ୍ରତି ଓଡ଼ିଶା ସରକାରଙ୍କ ଅପମାନ ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ଆଜି ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବ୍ଲକ ଛକ ଠାରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ ସଭାପତିତ୍ବ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉକ୍ତ ବିକ୍ଷୋଭ ଓ ପ୍ରତିବାଦ ସଭା ରେ ଯୋଗ ଦେଇ ଓଡ଼ିଶାର ମହାନ ଜନନାୟକ, ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ, ଭୂମିପୁତ୍ର ଏବଂ କୋଟି କୋଟି ଓଡ଼ିଆଙ୍କ ହୃଦୟର ନେତା ବିଜୁ ପଟ୍ଟନାୟକଙ୍କ ସ୍ମୃତି ପ୍ରତି ରାଜ୍ୟର ବିଜେପି ସରକାର ଯେଉଁ ଭଳି ଅପମାନଜନକ ଆଚରଣ ପ୍ରଦର୍ଶନ କରିଛନ୍ତି ତାହାରି ବିରୁଦ୍ଧରେ ଆଜି ସାରା ଓଡିଶା ପ୍ରତିବାଦ କରୁଛି ବୋଲି କହିଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ବିଜୁ ବାବୁଙ୍କ ସ୍ମୃତି ପ୍ରତି ଅବଜ୍ଞା ପ୍ରଦର୍ଶନ କରି ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଭାବାବେଗକୁ ଆହତ କରିଛନ୍ତି। ଏହା କେବଳ ବିଜେଡ଼ିର ପ୍ରତିବାଦ ନୁହଁ, ଏହା ରାଜ୍ୟର ପ୍ରିୟ ନେତାଙ୍କ ପ୍ରତି ହୋଇଥିବା ଅପମାନ ବିରୋଧରେ ରାଜ୍ୟବାସୀଙ୍କର ବିକ୍ଷୋଭ। ଭାରତରେ ପଞ୍ଚାୟତି ରାଜ ବ୍ୟବସ୍ଥାର ଆଦ୍ୟ ସୂତ୍ରଧର ବିଜୁ ପଟ୍ଟନାୟକ ୧୯୯୧ ମସିହାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶୁଭାରମ୍ଭ କରି ମହିଳାମାନଙ୍କୁ ପଞ୍ଚାୟତରେ ନିର୍ଣ୍ଣାୟକ ଭୂମିକା ଦେଇ ଥିଲେ। ବିଜୁ ବାବୁଙ୍କ ପଦାଙ୍କ ଅନୁସରଣ କରି ୧୯୯୨ରେ ଭାରତ ସରକାର ୭୩ତମ ସମ୍ବିଧାନ ସଂଶୋଧନ ଜରିଆରେ ଦେଶ ସାରା ପଞ୍ଚାୟତି ରାଜ ବ୍ୟବସ୍ଥା ଲାଗୁ କଲେ। ପଞ୍ଚାୟତି ରାଜ୍ ବ୍ୟବସ୍ଥାରେ ବିଜୁ ବାବୁ ଥିଲେ ସାରା ଦେଶର ଆଦର୍ଶ ଓ ପଥ ପ୍ରଦର୍ଶକ। ନବେ ଦଶକରୁ ଓଡ଼ିଶା ସରକାର ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରି ଆସୁଛନ୍ତି। ଏହା ବିଜୁ ବାବୁଙ୍କ ପ୍ରତି ଓଡ଼ିଶାବାସୀଙ୍କର ଶ୍ରଦ୍ଧା ଓ ପଞ୍ଚାୟତି ରାଜ ବ୍ୟବସ୍ଥାରେ ଓଡ଼ିଶାର ବିଶେଷ ଅବଦାନକୁ ପାଳନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି କ୍ରମେ ଓଡ଼ିଶାର ବିଜେପି ସରକାର ଚଳିତ ବର୍ଷ “ପଞ୍ଚାୟତି ରାଜ ଦିବସ”କୁ ମାର୍ଚ୍ଚ ୫ ତାରିଖରେ ନ କରିବାର ଘୋଷଣା କରି ବିଜୁ ବାବୁଙ୍କ ପ୍ରତି ଘୋର ଅବଜ୍ଞା ପ୍ରଦର୍ଶନ କରିଛନ୍ତି ଓ ଏହା ସହିତ ପଞ୍ଚାୟତି ରାଜ ବ୍ୟବସ୍ଥାରେ ଓଡ଼ିଶାର ଯେଉଁ ଐତିହାସିକ ଭୂମିକା ରହିଥିଲା ତାକୁ ମଧ୍ୟ ପୋଛି ଦେବାର ଉଦ୍ୟମ କରିଛନ୍ତି। ବିଜୁ ବାବୁଙ୍କ ପ୍ରତି ରାଜ୍ୟ ବିଜେପି ସରକାରଙ୍କ ଅପମାନ ଓ ରାଜ୍ୟର ପଞ୍ଚାୟତି ରାଜ୍ ଇତିହାସକୁ କଳଙ୍କିତ କରିଥିବାରୁ ବ୍ରହ୍ମଗିରି ରେ ବହୁ ସଂଖ୍ୟାରେ ସାଧାରଣ ଜନତା ଆଜି ବିକ୍ଷୋଭ ଓ ପ୍ରତିବାଦ ରେ ସାମିଲ ହୋଇଛନ୍ତି।ଏହି ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ବରିଷ୍ଟ ନେତା ପ୍ରଫୁଲ୍ଲ ଜେନା, ପୂର୍ଣ୍ଣ ଜେନା, ନବ ଷଣ୍ଢ, ଭଗବାନ ନାୟକ କେଦାରନାଥ ଜେନା, ସୁର ପ୍ରସାଦ ମହାନ୍ତି, ବରିଷ୍ଠ ଆଇନଜୀବି ଭାସ୍କର ଜେନା, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ମହିଳା ସଭାପତି ପ୍ରତିମା ଜେନା, ମହିଳା ମୋର୍ଚ୍ଚା ନେତ୍ରୀ ମାନସି ହରିଚନ୍ଦନ, ସସ୍ମିତା ସାହୁ, ସରପଞ୍ଚ ରାଧାକାନ୍ତ ସାହୁ, ଯୁବ ନେତା ବିଜୟ କୁମାର ଦଳାଇ, ଅଜୟ ନାୟକ, ଜୟନ୍ତ କୁମାର ମାହାନ୍ତି, ନନ୍ଦ ବିଶ୍ୱାଳ, ସର୍ବେଶ୍ଵର ଦଳାଇ ଙ୍କ ସମେତ ବହୁ ବିଜୁ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ।
