17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା ।
ବ୍ରହ୍ମପୁର- ସନ୍ଦେହ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ଓ ମହିୟସୀ । ଏକ ଛୋଟିଆ ଭୁଲ ବୁଝାମଣାକୁ କେନ୍ଦ୍ର କରି ନିମିଷକ ଭିତରେ ଭାଙ୍ଗିଯାଏ ଦୀର୍ଘ ଦିନର ବିଶ୍ୱାସ ଓ ଭଲପାଇବା । ଆଖି ଆଗରେ ହୋଇଯାଏ ସମ୍ପର୍କ ଓ ବିଶ୍ୱାସର ସବୁ ତାର ଗୁଡିକ ଛାରଖାର । ଏମିତି ଏକ ନିବିଡ଼ ବିଶ୍ୱାସର ବନ୍ଧନରେ ପ୍ରଫେସର ଅବିନାଶ ଓ ତାଙ୍କ ପତ୍ନୀ ଆଶାଦେବୀ ବାନ୍ଧି ହୋଇ ଗଢ଼ିଥିଲେ ସୁନ୍ଦର ସୃଜନ ପରିବାରଟିଏ । ହଠାତ ପରିବାର ଭିତରେ ଉଠିଲା ଝଡ଼ । ସନ୍ତୁଳନରେ ଛଟପଟ ହେଲେ ଦୁଇଟି ଆତ୍ମା । ବିଶ୍ୱାସରେ ଦେଖାଗଲା ବିଭେଦର କଥା । ସତରେ କଣ ଭାଙ୍ଗିଯାଇଥିବା ସେହି ବିଶ୍ୱାସର ସେତୁବନ୍ଧ ଯୋଡ଼ିହେବ, ନା ସନ୍ଦେହର ବିଷ ବଳୟ କବଳିତ କରିବ ? ଏମିତି କିଛି ବଳିଷ୍ଠ କଥାବସ୍ତୁକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ରାଉରକେଲା ସ୍ୱସ୍ତି ଝଙ୍କାର ନାଟ୍ୟସଂସ୍ଥାର ନାଟକ”ବିଶ୍ୱାସର ଆତ୍ମଲିପି” ।
ଡ଼. ସୁଧାଂଶୁ ନାୟକଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଡ଼. ସୁଶାନ୍ତ ପାଣି ସଙ୍ଗୀତ ଦେଇଥିବା ବେଳେ ରାଜୀବ,ରାଜକୁମାର,ଗଙ୍ଗାଧର,ବିଶ୍ଵଜିତ,ସତ୍ୟମ,ବବିତା ଓ ସ୍ୱାଗତିକା ପ୍ରମୁଖ ଅଭିନୟ କରିଥିଲେ । ଆୟୋଜକ ସଂଗଠନର ସଦସ୍ୟ ସୁନିଲ ସ୍ବାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ବ୍ରହ୍ମପୁରର ମହୋତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଗବେଷକ କୃଷ୍ଣଚନ୍ଦ୍ର ନିଶାଙ୍କନାଟ୍ୟକାର ଡା.ତିରୁପତି ସାହୁ,ନାଟ୍ୟକାର ରମେଶ ମହାରଣା ପ୍ରମୂଖ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ, ଅତିଥି ଆବାହନ ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ବ୍ୟାପୀ ହେବାକୁ ଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ସଂଗଠନ ସଭାପତି ଅନିଲ ପାତ୍ର,ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼, କୈଳାସ ପାଣିଗ୍ରାହୀ,ଉମେଶ ଚୌଧୁରୀ,,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,ଆରତୀ ପାତ୍ର,ବିନାୟକ ହୋତା,, ସିଏତ.ଦେବଦାସ ,ଗିରିଜା ଶଙ୍କର ଦାସ,ନମିତା ରାଣୀ ରାଉତ ପ୍ରମୂଖ ସହଯୋଗ କରିଥିଲେ । ସ୍ବର୍ଗତ ସଙ୍ଗୀତ ନିର୍ଦେଶକ ପ୍ରତାପ ମହାପାତ୍ର ସ୍ମୃତି ସମ୍ମାନରେ ସଙ୍ଗୀତ ନିର୍ଦ୍ଦେଶକ କାହ୍ନୁ ଚରଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଜୟନ୍ତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
