ମହାସତୀ ଅନସୂୟା
( ରାଗ — କଲ୍ୟାଣ ଆହାରୀ )
🖊️କବିରତ୍ନ ନୂତନ କୁମାର ବେହେରା
ଅବସନ୍ତେ ବସନ୍ତର ଶୋଭା ଶିରୀ
କୁସୁମ ବାଟିକାରେ ଭରି,
ଅନୁପମ ସୁଷମାରେ ମନୋହରୀ
ନେଉଥିଲା ଆକୃଷ୍ଟ କରି,
ମହକେ
ମହକିତ ତାର ମୁଲକ,
ନବ ପଲ୍ଲବିତ ବୃକ୍ଷରାଜି ଆଭା
ଦୃଶ୍ୟେ ନୟନ ଅପଲକ।୧।
ମହର୍ଷି ଅତ୍ରିଙ୍କ ସେ ଆଶ୍ରମ ସ୍ଥଳୀ
ଅମରାବତୀକୁ ଯେ ବଳି,
ପୁରତରେ ପ୍ରବାହିତା ମନ୍ଦାକିନୀ
ଚିରସ୍ରୋତା ସେଇ ତଟିନୀ,
ସଦୟେ
ତାର ସବୁ ରହେ ଜୀବନ୍ତ,
ସତୀ ଅନସୂୟା ସେବା ଯତ୍ନ ତ୍ୟାଗ
ଶ୍ରମେ ହୋଇଛି ଋଦ୍ଧିମନ୍ତ।୨।
ସତୀ ଅନସୂୟା ସୁଗୁଣେ ସଂପୂର୍ଣ୍ଣା
ତ୍ରିଭୁବନେ ସେ ଅନନ୍ୟା,
ପତିବ୍ରତା ସୁଲକ୍ଷଣୀ ଧର୍ମପ୍ରାଣା
କାହାକୁ ନଥିଲା ଅଜଣା,
ସତୀତ୍ୱ
ରକ୍ଷା ପଣେ ସେ ତପସ୍ଵିନୀ,
ତ୍ରିଦେବୀ ଶ୍ରୀଲକ୍ଷ୍ମୀ ପାର୍ବତୀ ବ୍ରହ୍ମାଣୀ
ବିବଶ ହେଲେ ଈର୍ଷା ଆଣି।୩।
ତିନି ଦେବୀ ପ୍ରରୋଚନା ବାରେ ଶୁଣି
କରି ପାରିଲେ ନାହିଁ ମନା,
ବ୍ରହ୍ମା ବିଷ୍ଣୁ ମହେଶ୍ଵର ହୋଇ ରାଜି
କରିଲେ ଏକତ୍ର ମନ୍ତ୍ରଣା,
କରିବେ
ତାଙ୍କର ସତୀତ୍ୱ ପରୀକ୍ଷା
ନାରୀ ଶକ୍ତି ଆଦିଶକ୍ତିର ପ୍ରତୀକ
ସଂସାରକୁ ଦେବେ ଏ ଶିକ୍ଷା।୪।
ସେ ତ୍ରିଦେବ ବ୍ରାହ୍ମଣଙ୍କ ଛଦ୍ମବେଶେ
ଆସି ଉଭା ହେଲେ ଆଶ୍ରମେ,
ଦଣ୍ଡାୟମାନ ହୋଇଣ ଦ୍ଵାର ଦେଶେ
ଭିକ୍ଷା ମାଗିଲେ ସମ୍ଭ୍ରମେ,
ଦର୍ଶନେ
ଅନସୂୟା କଲେ ସ୍ଵାଗତ,
ସନ୍ତୋଷ ପ୍ରକାଶି ପୁଛିଲେ ବାରତା
କିମ୍ପାଇଁ ହୋଇଲେ ଆଗତ।୫।
କହିଲେ ତ୍ରିଦେବ କର ତେବେ ସତ୍ୟ
ମାଗିଲେ କରିବନି ମନା,
ସତ୍ୟ କରି ସତୀ କଲେ ଯେ ସଂକଳ୍ପ
ଦାନରେ କରିବେନି ଊଣା,
ଜୀବନ
ମାଗିଲେ ବି ଦେବେ ନିଶ୍ଚିତ,
ନିର୍ଦ୍ବନ୍ଦ୍ବେ କୁହ ହେ ବ୍ରାହ୍ମଣ ଦେବତା
ଅତିଥି ଯେ ଦେବ ସାକ୍ଷାତ।୬।
ତହୁଁ ପ୍ରକାଶିଲେ ତ୍ରିଦେବ ବ୍ରାହ୍ମଣ
ତାଙ୍କ ସ୍ତନ୍ୟ କରିବେ ପାନ,
ବିବସନା ହୋଇ ଆସି ପାଶେ ବସି
ହରଷେ କରିବେ ଅର୍ପଣ,
ତା’ ବିନୁ
ଆନ କିଛିରେ ନାହିଁ ଆଶା,
ଅକୁଣ୍ଠିତେ କଲେ ଦାନ ହେବେ ପ୍ରୀତ
ଘୁଞ୍ଚିବ ତାଙ୍କର ଦୁର୍ଦ୍ଦଶା।୭।
ଜାଣି ଅନସୂୟା ଦେବଙ୍କ ପରୀକ୍ଷା
କଲେ ମନ୍ତ୍ର ଜଳ ଛିଞ୍ଚନ,
ସଙ୍ଗେ ସଙ୍ଗେ ସେ ତ୍ରିଦେବ ହେଲେ ଶିଶୁ
କଲେ ଯେ କ୍ଷୁଧାରେ କ୍ରନ୍ଦନ,
କୋଳକୁ
ତୋଳି ସେ ଖୁଆଇଲେ କ୍ଷୀର,
ଅଜ୍ଞାନ ଶିଶୁ ସନ୍ତାନ ରୂପ ନେଲେ
ସେ ବ୍ରହ୍ମା ବିଷ୍ଣୁ ମହେଶ୍ଵର।୮।
ଅନସୂୟାଙ୍କ ସତୀତ୍ଵ ପରାକାଷ୍ଠା
ପତି ସେବା ଧର୍ମ ପାଳନ,
ଦେଖିଣ ତ୍ରିଦେବୀ ହୋଇଲେ ଆଶ୍ଚର୍ଯ୍ୟ
ଆସି କରିଲେ ନିବେଦନ,
ହେ ସତୀ
ଆମ ଦୋଷ କର ମାର୍ଜନା,
ପତିଙ୍କୁ ଆମର କରି ଦିଅ ମୁକ୍ତି
ବଚନ କର ସତୀ ଘେନା।୯।
ପୁନର୍ବାର ମନ୍ତ୍ର ଜଳ ଛିଞ୍ଚି ଦେଇ
ଆଣିଲେ ସେ ପୂର୍ବର ସ୍ଥିତି,
ତ୍ରିଦେବ ତ୍ରିଦେବୀଙ୍କ ମହାମିଳନେ
ହସି ଉଠିଲା ବସୁମତୀ,
ତଥାସ୍ତୁ
ଆଶିଷ କରିଲେ ପ୍ରଦାନ,
ମାନବୀ ମଧ୍ୟରେ ତୁମେ ମହାସତୀ
ଜଗତ ଦେବ ତାର ମାନ।୧୦।
ବିଶ୍ଵ ବ୍ରହ୍ମାଣ୍ଡରେ ଏ ଗାଥା ଅମର
ହୋଇ ରହିଛି ଯେ ଅମ୍ଳାନ,
ପତିବ୍ରତା ନାରୀର ଅଖଣ୍ଡ ଶକ୍ତି
ତା’ ପୁଣ୍ୟେ ଅଭୟ ଜୀବନ,
ପ୍ରେରଣା
ଦିଅଇ ନାରୀଙ୍କୁ ସମାଜେ,
ହୋଇ ରହେ ସିଏ ଅୟିସୁଲକ୍ଷଣୀ
ଦିନ ବିତେ ତାର ସହଜେ।୧୧।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
