ଆଦର୍ଶ ଥାନା ପୁଲିସ ର ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା,୮ା୩: ସ୍ଥାନୀୟ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଆଦର୍ଶଥାନା ପୁଲିସ ପକ୍ଷରୁ ଆଜି ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ଏସପି ସାଗରିକା ନାଥ, ପୂର୍ବତନ ଏସପି ଦେବ ପ୍ରସାଦ ମଜୁମଦାର, ଖୋର୍ଦ୍ଧା ଓକିଲ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର, ଏସ୍ଡିପିଓ ନିହାର ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା- ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍-୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨ କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା- ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା-୨୦୨୩ ସହିତ ବଦଳାଇ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ପରିବର୍ତନମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଭାରତୀୟ ନ୍ୟାୟ ପଦ୍ଧିକୁ ପ୍ରତିଫଳିତ କରି ଦଣ୍ଡମୂଳକ ଦୃଷ୍ଟିକୋଣରୁ ନ୍ୟାୟଭିତିକ ଆଭିମୁଖ୍ୟ ଆଡ଼କୁ ପରିବର୍ତନକୁ ସୂଚାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଅପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ମଧ୍ୟ ବଜାୟ ରଖେ, ସମସ୍ତଙ୍କ ପାଇଁ ସୁଲଭ ଓ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରେ ବୋଲି କହିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ଶିକ୍ଷାବିତ, ବରିଷ୍ଠନାଗରିକ, ସାମ୍ବାଦିକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ କୁ ଥାନା ଅଧିକାରୀ ସଞ୍ଜୟ ନାୟକ ପରିଚାଳନା କରିଥିବାବେଳେ ଥାନାର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *