ବାଟ
🖋️କବିରତ୍ନ ନୂତନ କୁମାର ବେହେରା
ବାଟ ଆଦୌ ଜାଣି ପାରେନା ତା’ ଉପରେ ଦେଇ
କିଏ କେତେବେଳେ ଚାଲି କରୁଛି ଯିବା ଆସିବା
ସାଧୁ ସନ୍ଥ ଅବା ଭିକାରୀ କି ଚୋର ତସ୍କର
କେବେ ବି ମନା କରେନା ତା’ପରେ ଚାଲିବାକୁ
କିମ୍ଵା ତା’ ଛାତିରେ ତୀକ୍ଷ୍ଣ କଣ୍ଟା ମେଲାଇବାକୁ
ବାଟ ତ କେବଳ ବଦାନ୍ୟତା ଦେଖାଇ ଥାଏ
ଯୋଗାଯୋଗ ରଖିବାକୁ ଆପଣାପଣ ଭିତରେ
ସଂପର୍କର ବନ୍ଧନକୁ ମଜଭୁତ କରିବା ପାଇଁ
ପ୍ରତିଟି ବାଟ ତ ମାଟି ମା’ ବସୁଧାର କୋଳ
ଚାହିଁଥାଏ ସେ ସବୁ ସନ୍ତାନମାନଙ୍କର ମଙ୍ଗଳ
ସେ ବାଟ କେବେ କା’ ପାଇଁ ହୋଇଯାଏ ଅମଡ଼ା
ଯଦିଓ ସେ କରି ନଥାଏ କାହାକୁ ବାରଣ
ବାଟୋଇ ବାଛିଥାଏ ତା’ ବାଟ ତା’ ଇଚ୍ଛାରେ
ତଥାପି ଅନେକ କାହିଁକି କେଜାଣି ଥାଇ ଦ୍ବନ୍ଦ୍ଵରେ
ସେ ବାଟକୁ ହିଁ ସଦା କରିଥାନ୍ତି ଦୋଷାରୋପ
ସେ ବୁଝେନି ଏ କଥା ଅଯଥା ଅବାନ୍ତର ବୋଲି
ନୀରବରେ ଚୁପ୍ ରହି ସେ ସହିଥାଏ ସବୁରି ଚାପ
କିଏ ପାଦରେ ଯାଏ ତ କିଏ ଦ୍ରୁତଗାମୀ ଯାନରେ
ଗତି ଓ ବେଗ ଯାତ୍ରୀଙ୍କର ଥାଏ ନିଜର ନିଜସ୍ବ
ଆକସ୍ମିକ ଦୁର୍ଘଟଣା ପାଇଁ ବାଟ ନୁହେଁ ଦାୟୀ
ନିୟନ୍ତ୍ରଣ ହରାଏ ଯିଏ ବେପରୁଆ ଗାଡ଼ି ଚଳାଇ
ବିପଦେ ପଡ଼ି ଭୋଗେ ନାନା ଦୁଃଖ କଷ୍ଟ ଯନ୍ତ୍ରଣା
ବାଟରେ ହେଲେ କେହି ବାଟୋଇ ବାଟବଣା
ତା’ ପାର୍ଶ୍ବର ମାଇଲ୍ ଖୁଣ୍ଟ ଦେଇଥାଏ ତାର ସୂଚନା
ଜଣାଏଁ କେତେ ଦୂରେ ଅଛି ତା’ର ଲକ୍ଷ୍ୟ ଠିକଣା
ଦୃଷ୍ଟି ରଖି ସ୍ଥିର ଦିଗ ବଦଳାଇ ଯିଏ ପାଏ ଠିକ୍ ବାଟ
ବାଟର ମହତ୍ତ୍ଵ ଗୁରୁତ୍ବ ପ୍ରସଙ୍ଗରେ କରେ ପ୍ରଶଂସା
କେହି କେହି ଭାବ ଭକ୍ତିରେ କରନ୍ତି ବାଟ ବରଣ ଓଷା
ସେ ଜଗତର କଲ୍ୟାଣ ପାଇଁ ହୋଇଥାଏ ତିଆରି
ବାଟକୁ ଛାଡ଼ି ଏକାଠି ସ୍ଥିର ହୋଇ ଗଛ ପରି ମଣିଷ
ସାରା ଜୀବନ ରହି ପାରେ ନାହିଁ ଏକ ସ୍ଥାନରେ
ସଡ଼କ ବାଟ ପରି ଏବେ ତ ଆକାଶର ଶୂନ୍ୟତାରେ
ସମୁଦ୍ରର ଅନନ୍ତ ଜଳରାଶି ଉପର ଦେଇ ମଧ୍ୟ
କେତେ କେତେ ଫିଟିଛି ବାଟ ସାରା ପୃଥିବୀକୁ
ବାଟ ପାଇଁ ସଂକୁଚିତ ହୋଇଛି ଆଜି ସମଗ୍ର ବିଶ୍ଵ
ବାଟୋଇ ଚାଲିଲେ ଠିକ୍ ପହଞ୍ଚିଥାଏ ଲକ୍ଷ୍ୟସ୍ଥଳରେ
ଜୀବନ ଓ ଜୀବିକା ପାଇଁ କେହି ବାଛିଲେ ଭୁଲ୍ ବାଟ
ହୁଏ ତା ସମସ୍ୟାର ଉପୁଜାଏ ବିଷମ ପରିସ୍ଥିତି
ଅସଂଖ୍ୟ ବାଟ ମଧ୍ୟରୁ କେଉଁ ବାଟ କା’ ପାଇଁ ଠିକ୍
ବାଟୋଇ ନିଜ ବିବେକ ବିଚାରରେ କରେ ସ୍ଥିର
ଦୁନିଆଁର ସବୁ ବାଟ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କ ପାଇଁ
ହୁଏନା ଫଳପ୍ରଦ ତାଙ୍କୁ ପହଞ୍ଚାଇବାକୁ ଠିକଣାରେ
ସଂସାରର ଅଗଣିତ ଅସରନ୍ତି ଏତେ ବାଟ ମଧ୍ୟରେ
ସବୁଦିନ ସମସ୍ତଙ୍କ ପାଇଁ ସେଇ ଗୋଟିଏ ବା
ଜନ୍ମରେ ଆସିଥାଏ ଯେଉଁ ବାଟେ ଏକା ଏକା ଜଣେ
ମରଣରେ ପୁଣି ଚାଲିଯାଏ ସେଇ ବାଟରେ ସେ
କୌଣସି ବାଟୋଇକୁ ବାଟ ବି ପାରେନା ଅଟକାଇ
ସଂସାରେ ଅଣଲେଉଟା ଏ ବାଟ ସୃଷ୍ଟିରେ ଚିରନ୍ତନ
ଲକ୍ଷ୍ୟ ରଖି ଭଲ ମଣିଷ ସତ୍କର୍ମ କରେ ସଦାସର୍ବଦା
ସେ ବାଟରେ ବାହୁଡ଼ିବାକୁ ରହେ ନିଃସନ୍ଦେହରେ
ଏଇ ଧ୍ରୁବସତ୍ୟ କଥାଟି ବାଟ ସମସ୍ତଙ୍କୁ ଶିଖାଇଥାଏ…।
କୋହି,ବାରିପଦା,ମୟୂରଭଞ୍ଜ।
