ଦୋଳଯାତ୍ରା

ଦୋଳଯାତ୍ରା

ଶୀତକୁ ବିଦାୟ ଦେଲା ପରେ ଧରା
ପାଳୁଅଛି ଦୋଳଯାତ,
ରାଇ ବିନୋଦିନୀ ସଙ୍ଗେ ଗୋପୀନାଥ
ବିମାନରେ ବିରାଜିତ।
ଦକ୍ଷିଣ ଦିଗରୁ ମଳୟ ବହଇ
ତନୁ ମନେ ଶିହରଣ,
ବିମାନ କାନ୍ଧେଇ ଫଗୁ ରଙ୍ଗ ବୋଳି
ବୁଲନ୍ତି ଭକତ ଜନ।
ଆରିସା କାକରା ନାଲିଆ ଉଖୁଡା
ଗଜା ଖଜା ଛେନାବରା,
ନଡ଼ିଆ କଦଳୀ ସର ଲବଣୀରେ
ସଜାନ୍ତି ଭୋଗ ପସରା।
ଫଗୁ ଦଶମୀରୁ ଦଶଦୋଳ ଯାଏ
ରଙ୍ଗ ଅବିରର ଖେଳ,
ଶିଙ୍ଗା ଭେରି ତୂରୀ ଶବଦରେ କମ୍ପେ
ଗୋପାଳଙ୍କର ଓଗାଳ।
ବାଡି ଖେଳ ଖେଳି ଯାଦବ ପିଲାଏ
ଗୀତ ଗାଇ ଥିବେ ଚାଲି,
ହୁଳହୁଳି ହରିବୋଲ ଶବଦରେ
କମ୍ପୁଥାଏ ପୁରପଲ୍ଲି।
ମେଲଣ ପଡିଆ ଝୁଲଣ ଯାତରା
ଦେଖ କେଡେ ମନୋହର,
ଅପେରା ସଙ୍ଗୀତ ଦୋକାନ ବଜାର
ଦର୍ଶନେ ଲୋକ ବିଭୋର।

ଗୋଲୋକବିହାରୀ ବେହେରା
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *