ପ୍ରତିସ୍ପର୍ଦ୍ଧା
ପ୍ରତିସ୍ପର୍ଦ୍ଧା
🖋️କବିରତ୍ନ ନୂତନ କୁମାର ବେହେରା
ଦୈନଦିନର ଜୀବନ ଜୀବିକାରେ
ଭାବ ବିନିମୟର ଆଚରଣରେ
ମଣିଷ ଦେଖାଏ ତାର ପ୍ରତିସ୍ପର୍ଦ୍ଧା
ଏ ତ ଏକ ସହଜାତ ପ୍ରବୃତ୍ତି
ମାନସିକତାରୁ ହୁଏନାହିଁ ତାର ଇତି
ଅନ୍ତର ଭିତରେ ଅସୀମ ଶକ୍ତିର ଉତ୍ସ
ଅନାଦି ଅନନ୍ତ ଅନ୍ତର୍ଯ୍ୟାମୀ
ପ୍ରେରଣା ଉତ୍ସାହ ଦିଅନ୍ତି ସର୍ବଦା
ଅନ୍ତର୍ନିହିତ ପ୍ରତିଭାର ବିକାଶ
ପ୍ରକାଶ ନିମନ୍ତେ ଯୋଗାନ୍ତି ଇନ୍ଧନ
ହୁଏ ତା’ ପ୍ରାଣର ସ୍ପନ୍ଦନ
ଚେତନାରୁ କରି ଜଣେ ଚିନ୍ତନ
ଇଚ୍ଛାରେ ତାର ଖୋଜିନିଏ ଚଲପଥ
ଏକ ଲକ୍ଷ୍ୟରେ ରହି ବ୍ୟକ୍ତି ବିଶେଷ
ସ୍ପର୍ଦ୍ଧନ ଲାଗି କରେ ଶତ ଉଦ୍ୟମ
ସକାରାତ୍ମକ ଭାବ ଥିଲେ ହୃଦୟରେ
ସୃଜନଶୀଳତା ପାଏ ବୃଦ୍ଧି
ବଞ୍ଚାଇ ତା’ ଅସ୍ମିତା କରେ ଋଦ୍ଧିମନ୍ତ
ସେଇ ତାର ଆତ୍ମ ମର୍ଯ୍ୟାଦା ସ୍ଵାଭିମାନ
ମାତ୍ର ମନେ ଆଣିଲେ ନକରାତ୍ମକ ଭାବ
ବଢ଼େ ତାର ଗର୍ବ ଅହଂକାର
ଲକ୍ଷ୍ୟ ହୁଏ ଭ୍ରଷ୍ଟ କରେ ଅବକ୍ରିୟା
ଯେବେ ଇପ୍ସିତ ସଫଳତା ପାଏ ନାହିଁ
ମରିଯାଏ ତାର ଆଶା ସ୍ବପ୍ନ
ଆକ୍ରୋଶ ରଖି ହୁଏ ସେ ଉଚ୍ଛୃଙ୍ଖଳ
ସୌଜନ୍ୟମୂଳକ ନ କରି ଆଚରଣ
ଅନ୍ୟ ସାଥେ ଯୁଝେ ସେ କରି ପ୍ରତିସ୍ପର୍ଦ୍ଧା
ଏ ଜୀବନର ମହାଭାରତରେ
ସଭିଏଁ ତ ଜଣେ ଜଣେ ମହାଯୋଦ୍ଧା
ସତ୍ୟ ନ୍ୟାୟ ଧର୍ମ ପାଇଁ ଲଢି
ଜଣେ ହୋଇଥାଏ ପୂଜ୍ୟ ବରେଣ୍ୟ
ଅନ୍ୟାୟ ଅନୀତି ମିଥ୍ୟାରେ ରହି
ହୁଏ ସ୍ବେଚ୍ଛାଚାରୀ ଅଭିମାନୀ
ଉଚିତେ ଜନ ହିତେ କଲେ ପ୍ରତିସ୍ପର୍ଦ୍ଧା
ଆତ୍ମାରୁ ଦିବ୍ୟ ଶକ୍ତି ହୁଏ ପ୍ରାପ୍ତି
ଅନୁଚିତରେ ଦେଖାଏ ଯିଏ ପ୍ରତିସ୍ପର୍ଦ୍ଧା
ଅବକ୍ଷୟ ହେଉଥାଏ ତା’ ଅସ୍ତିତ୍ବ
କେବେ ହୁଏନା ତାର ପ୍ରକୃତ ବିଜୟ।
କୋହି,ବାରିପଦା,ମୟୂରଭଞ୍ଜ,
