ସମୟ
ଗୋଲୋକବିହାରୀ ବେହେରା
ଦୁନିଆରେ କିଏ ନିଜର ତୁମର
କହି ପାରିବକି ବନ୍ଧୁ,
ସମୟ ଠାରୁ କେ ନିଜର ନୁହଁନ୍ତି
ସମୟ ହିଁ କୃପାସିନ୍ଧୁ।
କାଳ ଭଲ ଥିଲେ ସମସ୍ତେ ନିଜର
ଖରାପ ହୋଇଲେ ପର,
ସୁସମୟ ଦେଖି ସମ୍ପର୍କ ଗଢିଲେ
ସର୍ବେ ହେବେ ଆପଣାର।
ସମୟ ଥରଟେ ସୁଯୋଗ ବି ଦିଏ
ସମୟକୁ ଦେଖେ ନର,
ସମୟକୁ ଦେଖି ବ୍ୟବହାର କଲେ
ଶତ୍ରୁ ବି ହେବ ନିଜର।
ପ୍ରୟାସ କଦାପି ବୃଥା ଯାଏ ନାହିଁ
ବିଫଳତା ନୁହେଁ ସ୍ଥାୟୀ,
ବେଳେ ବେଳେ ଛୋଟ ଉଦ୍ୟମ ବଳରେ
ସଫଳତା ଆସିଥାଇ।
