ଜିଲ୍ଲାସ୍ତରୀୟ“ବିଶ୍ୱ ବନ ଦିବସ” ପାଳନ ଅବସରରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ (+୨) ଜାତୀୟ ସେବା ଯୋଜନା ପୁରସ୍କୃତ
ଉଦଳା ୨୨/୩ – ଜିଲ୍ଲା ସ୍ତରୀୟ “ବିଶ୍ୱ ବନ ଦିବସ” କାର୍ଯ୍ୟକ୍ରମ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ବିଭାଗୀୟ “ସଂକଳ୍ପ ସମ୍ମିଳନୀ କକ୍ଷ” ବାରିପଦା ଠାରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ପୌରହିତ୍ୟରେ ଶୁକ୍ରବାର ଦିନ ପାଳିତ ହୋଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରଖଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନି, ଶିମିଳିପାଳ ଦକ୍ଷିଣ ବନ୍ୟଖଣ୍ଡ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା, ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ଡ଼. ବିଜୟ କୁମାର ଅଗ୍ରୱାଲା, ଅତିରିକ୍ତ ପୁଲିସ୍ ଅଧିକ୍ଷକ ଦୀପକ୍ କୁମାର ଗୋଚ୍ଛାୟତ, ଏମ୍.ଭି.ଆଇ. ସାଲଖୁ ମୁର୍ମୁ, ଏମ୍.ପି.ସି. ଅଟୋ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପବନ ସଂରକ୍ଷକ ତପନ କୁମାର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ “ଜଙ୍ଗଲ ଓ ଖାଦ୍ୟ” ଶୀର୍ଷକ ଆଲୋଚନାରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ଉତ୍ସବରେ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିମଧ୍ୟରୁ ଉଦଳାସ୍ଥିତ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ (+୨) ଏନ୍.ଏସ୍.ଏସ୍. ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ କପ୍ତିପଦା ଉପଖଣ୍ଡର ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ପୁରସ୍କୃତ ହୋଇଛି । ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ଗିରିଜା ଶଙ୍କର ପାତ୍ର ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ । ଉପଖଣ୍ଡକୁ ଗୌରବାନ୍ୱିତ କରିଥିବା ଉକ୍ତ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ବନ ବିଭାଗ ସହାୟତାରେ ବୃକ୍ଷ ରୋପଣ, ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷ ଓ ପଶୁପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଉଚ୍ଚ ପ୍ରଶଂସିତ ହୋଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶଶୀଭୂଷଣ ପାଣିଗ୍ରାହୀ ଉକ୍ତ ପୁରସ୍କାର ପାଇଁ ବନବିଭାଗ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରିବା ସଂଗେ ସଂଗେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
