ନବ ରସ
( ରାଗ — ପୋଇ/ଗୌରୀ )

 

ଜୀବ ଘଟେ ଆତ୍ମା’ ଦେଖାଏ ମହିମା’
              ମନ ହେଲେ ଦାସ’ ରହେ ବଶ’,
ଭବେ ଭାବ ରଖି’ ଚାଲିଥାଏ ଦେଖି’
                 ଅନୁଭବ କରି’ ନବ ରସ’।୧।
ପ୍ରେମରେ ଆସକ୍ତି ଅନୁରାଗେ ରତି
                  କାନ୍ତ କାନ୍ତା ବେନି ସହବାସ,
ଶୃଙ୍ଗାର ଏ ରସ ସଂସାରେ ପୀୟୂଷ
             ଅନୁଭବେ ପ୍ରାଣ ହୁଏ ତୋଷ।୨।
ହୃଦୟ ଉଲ୍ଲାସେ ଓଠରେ ବିକଶେ
                  ହାସ୍ୟ ରସ ସେଇ ଦିଏ ଖୁସି,
କର୍ଣ୍ଣେ ଶୁଣି ଶ୍ରୋତା ଭାଙ୍ଗେ ନୀରବତା
         ମୌନେ ବସି କେହି ଥିଲେ ରୁଷି।୩।
ସନ୍ତାପେ କରୁଣ ରସ ଯେ ଦାରୁଣ
                     ନୟନରୁ ଝରେ ଅଶ୍ରୁ ଝର,
ପାର୍ଥିବ ଜଗତେ ଦୁଃଖ ଅଛି ଯେତେ
                 ଜୀବନକୁ କରେ ଥରହର।୪।
ଶତ୍ରୁ ଆକ୍ରମଣେ କ୍ରୋଧ ଆଣି ମନେ
                 କରେ ପ୍ରତିବାଦ ରୌଦ୍ର ରୂପେ,
ଅନ୍ୟାୟ ଅନୀତି ନାଶି କରେ ଇତି
              ଅରି ମରି ଥାଏ ତାର ପାପେ।୫।
ଜୀବନ ସଂଗ୍ରାମେ ଧରମେ କରମେ
                     ସାହସ ରଖିବା ବୀର ରସ,
ସ୍ଵାଭିମାନ ସାଥେ ଚାଲି ଜନ ପଥେ
                 ସୁଖେ କରିଥାଏ ବସବାସ।୬।
ମନେ ଆଣି ଭୟ କରିଲେ ସଂଶୟ
                       ପରିଣାମ ହୁଏ ଭୟାନକ,
ପରାଭବ ପାଇ ବିକଳ ହୁଅଇ
             ରଖି ପାରେ ନାହିଁ ନିଜ ଟେକ।୭।
ଘୃଣା ଭାବ ରଖି ଭୋଗିଥାଏ ବ୍ୟାଧି
                      କୁତ୍ସିତ ବିଭତ୍ସ ରସ ତାହା,
ନାନାଦି ବିକାର ମୋହ ଅପସ୍ମାର
            ରୋକି ଦେଇଥାଏ ସୁଖ ରାହା।୮।
କରାଏ ବିସ୍ମୟ ହୁଏନା ପ୍ରତ୍ୟୟ
                 ଅଲୌକିକ ବସ୍ତୁ ତାର ହେତୁ,
ଚମତ୍କାର ଦିଶେ ଅଦ୍ଭୁତ ରସ ସେ
           ଲାଗେ ଦୈବ କୃତ ଏ ତଥାସ୍ତୁ।୯।
ଶାନ୍ତ ରସ ଶ୍ରେଷ୍ଠ ରଖେ କର୍ମନିଷ୍ଠ
                  ସାଧନା ସିଦ୍ଧିର ପୁଣ୍ୟଫଳ,
ଅହଙ୍କାର ନାଶି ପ୍ରତିଭା ପ୍ରକାଶି
        ସମାଜ କଲ୍ୟାଣେ ଦିଏ ବଳ।୧୦।
ନବ ରସ ସ୍ଵାଦ ଅନୁଭବେ ବାଦ
            ଦୂର ହୋଇଯାଏ ଜ୍ଞାନେ ଯା’ର,
ନିର୍ମଳ ପବିତ୍ର ଅମ୍ଳାନ ତରିତ୍ର
      ଗଠନେ ରହେ ସେ ନିର୍ବିକାର।୧୧।

    କବିରତ୍ନ ନୂତନ କୁମାର ବେହେରା

  କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *