ପୂର୍ବତଟ ରେଳପଥକୁ ବିକଳାଙ୍ଗ କରିବା ଚକ୍ରାନ୍ତ ବନ୍ଦ କରିବା ଦାବିରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପୂର୍ବତଟ ରେଳବାଇ ଜୋନ ମହାପ୍ରବନ୍ଧକଙ୍କୁ ସି.ପି.ଆଇ.(ଏମ୍)ର ସ୍ମାରକପତ୍ର
———————————————————- ଭୁବନେଶ୍ୱର,ତା ୨୫/୩/୨୦୨୫ରିଖ ସି.ପି.ଆଇ.(ଏମ୍)ଓଡ଼ିଶା ରାଜ୍ୟ କମିଟି ତରଫରୁ ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ପୂର୍ବତଟ ରେଳବାଇ ଜୋନ୍ର ମହା ପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କ୍ୱାଲ୍ଙ୍କୁ ରେଳ ସଦନରେ ସାକ୍ଷାତ କରି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଛି ଯେ ୧୯୯୬ ମସିହାରେ ପୂର୍ବତଟ ରେଳବାଇ ଜୋନ୍ ଭୁବନେଶ୍ୱରରେ ମୁଖ୍ୟଦପ୍ତର ଥାଇ ପ୍ରତିଷ୍ଠା ହେବା ପରଠାରୁ ଭାରତର ୧୮ଟି ରେଳଜୋନ୍ ମଧ୍ୟରେ ବ୍ୟବସାୟ କାରବାର ଦୃଷ୍ଟିରୁ ଏହି ଜୋନ୍ ଲାଭଜନକ ହେବା ସହ ସମସ୍ତ ରେଳଜୋନ୍ ମଧ୍ୟରେ ଅଗ୍ରଣୀ ଜୋନ୍ ଭାବେ ପରିଗଣିତ ହୋଇ ଆସିଛି । ତତ୍କାଳୀନ ଦକ୍ଷିଣପୂର୍ବ ରେଳଥର ଅଧିକାଂଶ ଅଞ୍ଚଳ ଓଡ଼ିଶା ମଧ୍ୟରେ ଥିବାରୁ ଏହାର ମୁଖ୍ୟଦପ୍ତର ଓଡ଼ିଶାକୁ ଆଣିବା ନଚେତ୍ ଓଡ଼ିଶାରେ ଏକ ନୂତନ ରେଳଜୋନ୍ ପ୍ରତିଷ୍ଠା ଦାବିରେ ବହୁ ପ୍ରଭାବଶାଳୀ ଆନ୍ଦୋଳନ ଓଡ଼ିଶାରେ ସଂଗଠିତ ହୋଇଥିଲା । ପରିଶେଷରେ କେନ୍ଦ୍ରରେ ମିଳିତ ସାମ୍ମୁଖ୍ୟ ସରକାରବେଳେ ଓଡ଼ିଶାରେ ପୂର୍ବତଟ ରେଳପଥ ଜୋନ୍ ଗଠନ ହେବ ବୋଲି ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ୍ ପାର୍ଲାମେଣ୍ଟରେ ଘୋଷଣା କରିଥିଲେ । ସେତେବେଳେ ବିଭିନ୍ନ ଜୋନ୍ର ପୁନର୍ଗଠନ ହୋଇ ସାରା ଦେଶରେ ୯ଟି ରେଳବାଇ ଜୋନ୍ ହୋଇଥିଲା । ରେଳଜୋନ୍ ଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ହୋଇନଥିଲା । ଏହା ଏକାଧିକ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇଷ୍ଟକୋଷ୍ଟ ରେଳଜୋନ୍ରେ ଥିବା ୱାଲଟିୟର ଡ଼ିଭିଜନକୁ ଏହାଠାରୁ ଅଲଗା କରିନେଇ ଏହାକୁ ଏକ କ୍ଷୁଦ୍ର ଡ଼ିଭିଜନରେ ପରିଣତ କରିବା ସାଙ୍ଗକୁ ଏହା ଅଧିନସ୍ଥ ବ୍ୟାପକ ଅଞ୍ଚଳକୁ ବିଜୟୱାଡ଼ା ଡ଼ିଭିଜନରେ ମିଶାଇ ଦେବାକୁ ଆଦେଶ ଜାରି କରିଛନ୍ତି । ୱାଲଟିୟର ଡ଼ିଭିଜନ ନାମ ବିଶାଖାପାଟଣା ଡ଼ିଭିଜନ ରଖାଯାଇଛି । ଉଭୟ ବିଶାଖାପାଟଣା ଓ ବିଜୟୱାଡ଼ା ଡ଼ିଭିଜନକୁ ଗୁଣ୍ଟୁର ଓ ଗୁଣ୍ଟକଲ ଡ଼ିଭିଜନ ସହ ଦକ୍ଷିଣତଟ ରେଳବାଇ ଜୋନ୍ ଅଧିନରେ ରଖାଯାଇଛି । ଭୁବନେଶ୍ୱରରେ ମୁଖ୍ୟଦପ୍ତର ଥିବା ଇଷ୍ଟକୋଷ୍ଟ ରେଳବାଇ ଜୋନର ୪୫୦ କି.ମି ରେଳପଥ ଯେଉଁଥିରେ ବିଜୟନଗରମ୍, ବିଶାଖାପାଟଣା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଇସ୍ପାତ ନଗରୀ, ବନ୍ଦର ଓ କର୍ପୋରେଟ୍ ଅଫିସ୍ମାନ ରହିଛି । ଏହି ରେଳପଥ ମଧ୍ୟଦେଇ ବାର୍ଷିକ୧୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ଆୟ କରୁଥିବା ଅଞ୍ଚଳ ବାଦ୍ ପଡ଼ିଛି । ୭୫% କର୍ମଚାରୀ ମଧ୍ୟ ପୂର୍ବତଟ ରେଳଜୋନ୍ରୁ ଦକ୍ଷିଣ ତଟ ରେଳବାଇ ଜୋନକୁ ଚାଲିଯିବେ । ଏହା ପରିବର୍ତ୍ତେ ପୂର୍ବତଟ ରେଳବାଇ ଜୋନ୍ ଅଧିନରେ ରାୟଗଡ଼ା ଡ଼ିଭିଜନ ହେବ ବୋଲି ଘୋଷଣା କରି ରେଳମନ୍ତ୍ରୀ ଏକ ଲଲିପପ୍ ଓଡ଼ିଶାକୁ ଧରାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବ୍ୟାପକ ରେଳପଥ ଓ ରାଜସ୍ୱ ଆୟକାରୀ ଅଞ୍ଚଳ ଓଡ଼ିଶା ବାହାରେ ଅବସ୍ଥାପିତ ରେଳବାଇ ଜୋନ୍ମାନଙ୍କ ଅଧିନରେ ଅଛି । ଉଦାହରଣ ସ୍ୱରୂପ- ଦକ୍ଷିଣପୂର୍ବ ବା ସାଉଥ୍ ଇଷ୍ଟର୍ଣ୍ଣ ରେଳଜୋନ୍ ଅନ୍ତର୍ଗତ ଚକ୍ରଧରପୁର ରେଳ ଡ଼ିଭିଜନ ମଧ୍ୟରେ ଓଡ଼ିଶାର ଯୋଡ଼ା ଖଣି ଅଞ୍ଚଳ, ବଡ଼ବିଲ ସହର, ବଲାଣୀ ଖାଦାନ, ବନ୍ଧମୁଣ୍ଡା, ରାଉରକେଲା, ରାଜଗାଙ୍ଗପୁର ଠାରୁ ଝାରସୁଗୁଡ଼ା ର୍ଯ୍ୟନ୍ତ ରେଳପଥ ଓ ଛତିଶଗଡ଼ର ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ବିଳାସପୁର ଡ଼ିଭିଜନ ମଧ୍ୟରେ ଇବ୍, ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳ ରହିଛି । ସେହିପରି ଦକ୍ଷିଣ ପୂର୍ବ ରେଳପଥ ଅଧିନସ୍ଥ ଖଡ଼ଗପୁର ଡ଼ିଭିଜନ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ରେଳଲାଇନ୍ ଅଞ୍ଚଳ ରହିଛି । ଓଡ଼ିଶାର ଉତ୍ତରାଞ୍ଚଳରେ ଥିବା ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ଥିବା ରେଳ ରୁଟ୍କୁ ନେଇ ଏକ ରେଳ ଡ଼ିଭିଜନ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଯଦି କେନ୍ଦ୍ର ସରକାର ଓ ରେଳମନ୍ତ୍ରୀ ଆନ୍ଧ୍ରପ୍ରଦେଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟଭିତ୍ତିକ ରେଳବାଇ ଜୋନ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି କରିଛନ୍ତି ତେବେ ଓଡ଼ିଶାର ଯେଉଁ ସମସ୍ତ ଅଞ୍ଚଳ ଓ ରେଳରୁଟ୍ ଦକ୍ଷିଣ ପୂର୍ବ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ମଧ୍ୟରେ ଏପର୍ଯ୍ୟନ୍ତ ରହିଛି ଅର୍ଥାତ୍ ଯୋଡ଼ା ଖଣି ଅଞ୍ଚଳ, ବଡ଼ବିଲ ସହର, ବଲାଣୀ ଖାଦାନ ତଥା କେନ୍ଦୁଝର ଜିଲ୍ଲାର ସମସ୍ତ ରେଳ ଅଞ୍ଚଳ, ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର ଠାରୁ ଝାରସୁଗୁଡ଼ା, ଇବ୍, ବେଲପାହାଡ଼, ବ୍ରଜରାଜନଗର ଓ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ପୂର୍ବତଟ ରେଳବାଇ ଜୋନ୍ ମଧ୍ୟକୁ ଆଣିବା ନିମନ୍ତେ ଆମେ ଓଡ଼ିଶାବାସୀଙ୍କ ତରଫରୁ ଦୃଢ ଭାବେ ଦାବି କରୁଛୁ । ଭୁବନେଶ୍ୱରରେ ନିର୍ମାଣ ହୋଇସାରିଥିବା ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଅର୍ଥାତ୍ ନ୍ୟୁ ରେଳ ଷ୍ଟେସନ ଠାରୁ ରେଳ ଯାତାୟାତ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରିଛି । ପୂର୍ବତଟ ରେଳବାଇ ଜୋନ୍କୁ ବିକଳାଙ୍ଗ କରିବା ବନ୍ଦ ହେଉ ଏବଂ ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସି.ପି.ଆଇ.(ଏମ୍) ଉପସ୍ଥାପିତ କରିଥିବା ସମସ୍ତ ଦାବି ଗୁଡ଼ିକୁ ଭାରତ ସରକାର ବିଶେଷ କରି ଭାରତ ର ରେଳ ମନ୍ତ୍ରଣାଳୟ ଗୁରୁତର ସହ ବିଚାର କରିବା ପାଇଁ ଦାବି କରାଯାଇଛି, ନତୁବା ରେଳବାଇ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥ ପାଇଁ ସି.ପି.ଆଇ.(ଏମ୍) ନିଜସ୍ୱ ଭାବେ ଏବଂ ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଆଜିକାର ଏହି ପ୍ରତିନିଧି ଦଳରେ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ କୁମାର ଦାସ ଏବଂ ପୁଷ୍ପା ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ । ସୁରେଶ ଚନ୍ଦ୍ର ପାଣିଗ୍ରାହୀ ରାଜ୍ୟ ସମ୍ପାଦକ ସି.ପି.ଆଇ.(ଏମ୍) ଫୋନ୍ ନଂ – ୯୪୩୭୯୩୬୭୯୭ ଆପଣଙ୍କ ଗଣମାଧ୍ୟମରେ ସଦୟ ପ୍ରକାଶନ ଏବଂ ପ୍ରସାରଣ ପାଇଁ ଅନୁରୋଧ ।
