ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ

ହିଞ୍ଜିଳିକାଟୁ:-୨୫/୩(ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ) ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ ପୂରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚୈତ୍ରମାସ ଚତୁର୍ଥୀ ତିଥୀ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଓ ସ୍ଥାନୀୟ ବ୍ଳକ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭ ହୋଇଛି । ମଙ୍ଗଳବାର ପ୍ରାତଃହରୁ ମାନସିକଧାରୀ ଦଣ୍ଡୁଆ ମାନେ ହାତରେ ପିଞ୍ଛମୁଠା, ବାନା ଧରି ଢୋଲ ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ । ସହରର ଜନସାଧାରଣ ଘର ସମ୍ମୁଖରେ ଧୂପ, ଦୀପ, ନୈବେଦ୍ୟ ଓ ପୁର୍ଣ୍ଣକୁମ୍ଭ ସ୍ଥାପନ କରି ମା’ ଦଣ୍ଡକାଳୀ ଓ ସ୍ୱପ୍ନେଶ୍ୱର ମହାଦେବଙ୍କୁ ଭୋଗ ସମର୍ପଣ କରିବା ସହ ଆଶିଷ ଭିକ୍ଷା କରିଥିଲେ । ଗ୍ରାମ ପରିକ୍ରମା କରି ମାନସିକଧାରୀ ଦଣ୍ଡଭୁକ୍ତା ମାନେ ପ୍ରଚଣ୍ଡ ରୌଦ୍ରତାପରେ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମା’ ଦଣ୍ଡକାଳୀ ଓ ହରଗୌରୀଙ୍କୁ ଆଳତି ସମର୍ପଣ କରାଯାଇଥିଲା । ଆଳତି ଦର୍ଶନ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା । ରୁଦ୍ରକାଳୀ ଓ ସ୍ୱପ୍ନେଶ୍ୱରଙ୍କୁ ଭଜ ହେ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ମଧ୍ୟରାତ୍ରରେ କାଳୀ ପ୍ରସନ୍ନ ଓ କାଳିକା ନାଚ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହିଞ୍ଜିଳି ବଡ ଦଳ ପକ୍ଷରୁ ” ହା କୃଷ୍ଣ ବୋଲି ଯାଉ ଜୀବ” ଓ ସାନଦଳ ପକ୍ଷରୁ ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ମଞ୍ଚସ୍ଥ ହୋଇଥିଲା । ସେହିପରି ବେଲଗାଁ ଦଣ୍ଡଦଳ ପକ୍ଷରୁ ‘ ହା କୃଷ୍ଣ ବୋଲି ଯାଉ ଜୀବ ଓ ଡି ପାଟପୁର ଦଳ ପକ୍ଷରୁ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯାଇଥିଲା । ଅନୁରୂପ ଭାବେ ପର୍ଯ୍ୟାୟ କ୍ରମେ ସ୍ଥାନୀୟ ବ୍ଳକ ବୁରୁପୋଡା, ରାଳବ, ଆଲପୁର ଗ୍ରାମରେ ୧୮ ଦିନିଆ ଓ ଖଣ୍ଡରା, ପୋଚିଲିମା, ସମରଝୋଳ, କଞ୍ଚୁରୁର ୨ ଦଳ, ସାରୁ, ଦୁର୍ବନ୍ଧର ୩ ଦଳ, ଗୋଦରାପଲ୍ଲୀ, ଡି. ପାଟପୁର, ସାହାପୁର ଓ ଶିଖରପୁର ଅଞ୍ଚଳର ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ଶେଷ ହେବ ।ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠରେ ୫ଶହରୁ ଉର୍ଦ୍ଧ୍ବ ଶିଶୁଙ୍କ ମୁଣ୍ଡନହିଞ୍ଜିଳିକାଟୁ,ତା ୨୫।୩ (ପିଏନଏସ) : ଚୈତ୍ର ମାସ ଦ୍ବିତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।

ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ଦୂରଦୁରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ୱାର୍ଶ୍ବରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଥିଲା । ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ, ବେଲୁନ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ଭକ୍ତ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ରହିଥିଲେ ମଧ୍ୟ ଭକ୍ତମାନେ ପରିବାର ଓ ସମ୍ପର୍କୀୟଙ୍କ ସହ ଛାଗବଳି ପକାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କିଛି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ୱାବଧାନରେ ପୁଲିସ ଟିମ୍ ମନ୍ଦିର ପରିସରରେ ମୃତୟନ ରହିବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଶ୍ୟାମଳାଇ ଛକ ତଥା ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପ୍ବାର୍ଶରେ ବହୁ ଯାନବାହନ ରହିଥିଲା । ଭକ୍ତ ମାନେ ନିଜ ନିଜର କାର୍ଯ୍ୟ ସମାପନ କରି ସନ୍ଧ୍ୟାରେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଅନୁରୁପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’ କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପ୍ୱାର୍ଶରେ ଭୋଜିଭାତର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *