ନାରୀ ଜାତିର ଆଦର୍ଶ ମା’ ସୀତା

 ନାରୀ ଜାତିର ଆଦର୍ଶ ମା’ ସୀତା
  ( ରାଗ — ରସକୁଲ୍ୟା )

 🖊️କବିରତ୍ନ ନୂତନ କୁମାର ବେହେରା

ପୁରାଣ ଶାସ୍ତ୍ର ମଧ୍ୟେ ରାମାୟଣ
           ସେବା ତ୍ୟାଗେ ଶ୍ରେଷ୍ଠ ଉଦାହରଣ,
ମଣିଷ ହୃଦେ ଆଣେ ଜାଗରଣ
             ଅନୁଭବେ କରେ ଅନୁସରଣ ସେ,
ଜ୍ଞାନର ଅଲିଭା ଦୀପ ଯେ
           ଦେଖାଏ ଆଲୋକ ଆଣଇ ପୁଲକ
ପୂର୍ଣ୍ଣ ହୁଅଇ ସଂକଳ୍ପ ଯେ।୧।

ମିଥିଳାର ରାଜଜେମା ମୈଥିଳୀ,
              ଜାନକୀ ସୀତା ଥିଲେ ଅଲିଅଳି,
ରୂପ ଲାବଣ୍ୟେ ଅନିନ୍ଦ୍ୟା ସୁନ୍ଦରୀ
          ଗୁଣରେ ଥିଲେ ସରଗର ପରୀ ସେ,
ରୂପବତୀ ଗୁଣବତୀ ଯେ
          ସର୍ବଗୁଣେ ପୂର୍ଣ୍ଣା ସେ ସ୍ଵୟଂ ସମ୍ପୂର୍ଣ୍ଣା
ଦୟାଶୀଳା ବୁଦ୍ଧିମତୀ ଯେ।୨।

ଭାଙ୍ଗି ଶିବଧନୁ ପ୍ରଭୁ ଶ୍ରୀରାମ
            ହୋଇଲେ ସୀତାଙ୍କ ପତି ପରମ,
ସୀତା ରାମ ଆଦର୍ଶ ପତିପତ୍ନୀ
      ତାଙ୍କ ମହିମା ପ୍ରକାଶେ ମେଦିନୀ ସେ,
ଥିଲେ ପତିବ୍ରତା ନାରୀ ଯେ
       ସତୀ ଶିରୋମଣି ଅଯୋଧ୍ୟାର ରାଣୀ
ଧର୍ମପ୍ରାଣା ସୁକୁମାରୀ ଯେ।୩।

ଜୀବନର ପ୍ରତି ମୁହୂର୍ତ୍ତେ ଲଢ଼ି,
                ନିଷ୍କଳଙ୍କ ଚରିତ୍ର ଥିଲେ ଗଢ଼ି,
ବନବାସ ଯାଇ ସ୍ଵାମୀଙ୍କ ସଙ୍ଗେ
         ଦୁଃଖ ଯନ୍ତ୍ରଣା ସହିଲେ ଅଙ୍ଗେ ସେ,
ରାବଣ ନେବାରୁ ହରି ଯେ
       ରହି ଲଙ୍କାପୁରେ ଧୈର୍ଯ୍ୟ ସହକାରେ
ପତିଙ୍କୁ ଥିଲେ ସୁମରି ଯେ।୪।

ଅଗ୍ନି ପରୀକ୍ଷାରେ ହୋଇ ଉତ୍ତୀର୍ଣ୍ଣା
       ସତୀ ନାରୀରେ ହେଲେ ଅଗ୍ରଗଣ୍ୟା,
ନାରୀ ଜାତି ମଧ୍ୟେ ସ୍ବାଭିମାନିନୀ
       ନିର୍ବାସନରେ ହୋଇ ତପସ୍ଵିନୀ ସେ,
ମାତା ହୋଇ ପାଳି ପୁତ୍ର ଯେ
  ଲବ କୁଶେ ଯୋଗ୍ୟ କଲେ ତାଙ୍କ ଭାଗ୍ୟ
ପୂଜା ପାଆନ୍ତି ସର୍ବତ୍ର ଯେ।୫।

ନାରୀ ବିହୁନେ ଏ ସଂସାର ଶୂନ୍ୟ
            ମହନୀୟା ଗୁଣେ କରନ୍ତି ପୁଣ୍ୟ,
ନାରୀ ମାତା ଭଗ୍ନୀ କନ୍ୟା ବନିତା
          ଆଦର୍ଶ ଗୁଣରେ ଜଗତଜିତା ସେ,
ସତ୍ୟ ଧର୍ମେ ପୂଜ୍ୟନୀୟା ଯେ
           ତ୍ୟାଗ ସମର୍ପଣ ମହନୀୟ ଦାନ
ନାରୀ ରୂପେ କରେ ଦୟା ଯେ।୬।

ନାରୀ ଜାତିର ଆଦର୍ଶ ମା’ ସୀତା
              ସାରା ଜଗତ ଲାଗି ହୁଏ ହିତା,
ନାରୀର ଯତ୍ନେ ଗୃହେ ବଢ଼େ ଶିରୀ
      ସେବାରେ ମଙ୍ଗଳ କରେ ସବୁରି ସେ,
ନାରୀ ହେଲେ ସୀତା ଭଳି ଯେ
    ଦୁଃଖ ଯାଏ ଦୂରେ ରହେନା ସଂସାରେ
ଆନନ୍ଦ ପଡ଼େ ଉଛୁଳି ଯେ।୭।

 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *