ଭଙ୍ଗା ଦର୍ପଣ
ଭଙ୍ଗା ଦର୍ପଣ
ଗୋଲୋକବିହାରୀ ବେହେରା
ମୋ’ ଜୀବନ ଏକ ଭଙ୍ଗା ଦର୍ପଣ
ଯେଉଁଥିରେ ମୁଁ ପ୍ରତିକ୍ଷଣ ଦେଖିଛି
ମୋ’ ଆଶା ଓ ସ୍ୱପ୍ନର ବିଖଣ୍ଡିତ ପ୍ରତିବିମ୍ବ।
ହସ ଖୁସି ଫୁର୍ତ୍ତିରେ ଦିନ କାଟୁଥିବା
ଲୋକଟିର ଆଖିରେ ଲୁହ।
ସମୁଦ୍ରର ସୁନ୍ଦର ଫେନଚୂଡ ଊର୍ମି ତଳେ
ପ୍ରଖର ଅନ୍ତଃସ୍ରୋତ ପ୍ରବାହିତ ହୁଏ
ପୁଞ୍ଜିଭୂତ ବ୍ୟଥା ଓ ବେଦନାର
ସିଏ ମୋର ପ୍ରତିରୂପଟିଏ ।
ସ୍ନେହ ମମତା ତ୍ୟାଗର ପ୍ରଦୀପ ନିର୍ବାପିତ,
ସ୍ୱାଛନ୍ଦ୍ୟ ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ବି ଆଜି
ଜୀବନରେ ଅତଳ ସ୍ପର୍ଶୀ ଶୂନ୍ୟତା
ହା ହା କାର ମୟ ନିଃସଙ୍ଗତା ।
ଜୀବନ ନାଟକରେ ନିର୍ମମ ଭାବେ
ହାରିଯାଇ କେତେକାଳ ଆଉ ଚାବି ଦିଆ
କଣ୍ଢେଇ ଭଳି ଏପାଖେ ସେପାଖେ ହେବି?
ଦେହ ବୃକ୍ଷରୁ ବୟସର ଚଢ଼େଇ
ଭଡ଼ି ଯିବାକୁ ଫଡ୍ଫଡ଼୍ ହେଉଛି ।
ଜୀବନ ଓ ଯନ୍ତ୍ରଣାରୁ ଫିଟିଯାଇ
ମୁଁ ଆଜି ନିର୍ବାଣ ଖୋଜୁଛି ! !
ଷଡ଼ଙ୍ଗୀ, ଢେଙ୍କାନାଳ
