ପ୍ରବଳ ଉତ୍ସାହର ସହ ପାଳିତ ହେବ ନବବର୍ଷ ମହୋତ୍ସବ
ବିଗତବର୍ଷ ପରି ଏବର୍ଷ ମଧ୍ୟ ବହୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭଦ୍ରକରେ ପାଳିତ ହେବ ଭାରତୀୟ ନବବର୍ଷ l ଆଗାମୀ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଅର୍ଥାତ ଆସନ୍ତା ୩୦ ତାରିଖରେ ସାରା ଭାରତରେ ପାଳିତ ହେବାକୁ ଯାଉଛି ହିନ୍ଦୁ ନବବର୍ଷ ବା ଭାରତୀୟ ନବବର୍ଷ l ଭଦ୍ରକ ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏଥର ବିସ୍ତାରିତ ଭାବେ ନବବର୍ଷ ପାଳିତ ହେବାନେଇ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ନୂଆବଜାରସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ସମ୍ପର୍କ ପ୍ରମୁଖ ବିଭୁ ଚନ୍ଦନ ଜେନା ନବବର୍ଷ ପାଳନର ଆଭିମୁଖ୍ୟ ତଥା ଏହି ପବିତ୍ର ଦିବସର ଗୁରୁତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ l ପ୍ରତ୍ୟେକ ବର୍ଷ ମଞ୍ଚ ପକ୍ଷରୁ ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏଥର ଏହା ସହିତ ଖୁବ ଯାକଜମକରେ ନୂତନବର୍ଷକୁ କିପରି ସ୍ୱାଗତ କରାଯିବ ସେନେଇ ଶ୍ରୀ ଜେନା ସାମ୍ବାଦିକ ମାନଙ୍କୁ ଅବଗତ କରିଥିଲେ l ଆଜିର ଯୁବବର୍ଗ ଭାରତୀୟ ପର୍ବ ପର୍ବାଣୀ ଭୁଲିଯାଇ କିପରି ପାଶ୍ଚାତ୍ୟ ସଂସ୍କୃତିକୁ ଆଦରିନେଉଛନ୍ତି, ଏବଂ ଏହାଦ୍ୱାରା କିପରି ସାଂସ୍କୃତିକ ଅବକ୍ଷୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ l ଏହି ମହୋତ୍ସବରେ ଦେଶାତ୍ମକବୋଧ ସଙ୍ଗୀତ, ନୃତ୍ୟ, ଯୋଗାସନ ସହିତ ବୌଦ୍ଧିକ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ସୂଚନା ପ୍ରଦାନ କରାଯାଇଥିଲା l ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ପୂର୍ବପ୍ରାନ୍ତ ସମନ୍ୱୟ ପ୍ରମୁଖ ପ୍ରେମାନନ୍ଦ ବେହେରା, ସହ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର, ଜିଲ୍ଲା ପ୍ରଚାର ପ୍ରମୁଖ ଅମିୟ ଭାନୁ ଧଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅମର କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ସାହୁ, ସୁରେଶ ବିଶ୍ୱାଳ, ମାନଗୋବିନ୍ଦ ନାୟକ, ଶିବ ଶଙ୍କର ପଣ୍ଡା ଏବଂ ସର୍ବେଶ୍ୱର ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ l
