କଣ୍ଟା
କଣ୍ଟା
🖋️କବିରତ୍ନ ନୂତନ କୁମାର ବେହେରା
ହୃଦୟର ନିଘଞ୍ଚ ଜଙ୍ଗଲ ଭିତରକୁ ପଶି
ବସନ୍ତର କମନୀୟା ସୁଗନ୍ଧିତା ଫୁଲ ତୋଳିବା
ଫଗୁଣର ପ୍ରେମରେ ମାତିବା,
ଜୀବନକୁ କଳ କଳ ନାଦେ ନିନାଦିତ କରିବା
ସ୍ବପ୍ନରେ ସମ୍ଭବ ହେବା ସହଜ ସାଧ୍ୟ
ବାସ୍ତବରେ ପରିଣତ କରିବା ଅତ୍ୟନ୍ତ ଜଟିଳ।
କରି ମଧ୍ୟ ଶ୍ରମ ସାଧନା ଅଧିକରୁ ଅଧିକ
ମନର ଆଶା ହୁଏନା ପରିପୂର୍ଣ୍ଣ
ଇଚ୍ଛା ସବୁକୁ ସାଉଁଟି,
ଚାଲୁ ଚାଲୁ ସଂସାରର ଚଲା ବାଟରେ
କେବେ କେବେ ଅଦୃଶ୍ୟ ପ୍ରତିକୂଳ
ପାଲଟିଯାଏ କଣ୍ଟା।
ପାଦରେ ଗଳି ଯାଇ ବାଟକୁ କରେ ଅଟକ
ଦେହରେ ଲାଗି ଝରାଏ ରକ୍ତ ସୃଷ୍ଟି କରେ କ୍ଷତ,
କଲିଜାରେ ବାଜି କମାଇ ଦିଏ ଆୟୁଷ
ସାଧାରଣ ମାନସିକତାର ସ୍ତର
ହୋଇଯାଏ ଦୁର୍ବଳ ରୁଗ୍ଣ।
ଇନ୍ଦ୍ରିୟର ଲାଳସା କାମନାର ନିଶାରେ ଆସକ୍ତ
ନିର୍ବିକାର ସ୍ବଚ୍ଛ ଭାବ ଭାବନା କାହିଁ…?
ସବୁ ତ ଓଳିକର ସୁଖ
ଉପଭୋଗ ପାଇଁ ବ୍ୟାକୁଳ
ଷଡ଼ରିପୁର କଣ୍ଟା ଦଂଶେ ବୃଶ୍ଚିକ ସମ।
ଅଗନା ଅଗନି ବନସ୍ତେ ହଜେ ଶାନ୍ତି ସୁଖ
ଆଖିର ଦୃଷ୍ଟିକୋଣ ସ୍ଵାର୍ଥକୁ କରିନିଏ ସହଚର,
ଜୀବନକୁ ଗଭୀର ଗାଢ଼ରେ ପକାଇ
ଜୀଇଁବାକୁ ଚାହେଁ ନିଜ ସାଥେ କରି ପ୍ରବଞ୍ଚନା
ଜୀବନର କି ଏକ ବିଡ଼ମ୍ବନା…?
କଣ୍ଟାର ପରିଚିତ ବାଟରେ
ଚାଲେ ତ ସ୍ବଇଚ୍ଛାରେ
ଆଘାତ ପାଇ କ୍ଷତାକ୍ତରେ ରକ୍ତାକ୍ତ ହୋଇ
ଉଚ୍ଚ ଚିତ୍କାରରେ କରେ ବିଳାପ।
କିଏ କରିବ କାହା ପାଇଁ ଉଚିତ ପ୍ରତିକାର
ନ ଚାହିଁଲେ ଚାଲିବାକୁ ଖୋଜି ଏକ ନୂଆ ବାଟ,
କଣ୍ଟାର ଗୁଣ ସ୍ଵଭାବ ଯେ କରିବ କ୍ଷତ
ପରୋକ୍ଷରେ ସେ କରାଇ ଦିଏ ସଚେତନ।
ଆଗକୁ ଅଛି ବାଟ ବହୁତ
କଣ୍ଟା ଏଡି଼ ଆଗେଇ ଯିବାକୁ ହେବ
ଏକ ସଂକଳ୍ପରେ ରହି ସତର୍କ,
ପରମ ଲକ୍ଷ୍ୟକୁ ନେଇ ଚରମ ସୀମାରେ
ଉପନୀତ ହେବା ପାଇଁ ସଂଘର୍ଷ
ରଖିବାକୁ ହୁଏ ଅବ୍ୟାହତ
ଏ ଜୀବନ ଗଢ଼ା ହୁଏନା… ଗଢ଼ିବାକୁ ହୁଏ।
କୋହି,ବାରିପଦା,ମୟୂରଭଞ୍ଜ,
