ଛଉନୃତ୍ୟରେ ଦୁଲୁକିଲା ଗଡ଼ିଆ ର ମେଳନ ପଡ଼ିଆ
ଗତକାଲିର ଶୁଭ ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍ ଅନ୍ତର୍ଗତ ଗଡିଆ ଗ୍ରାମରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ସ୍ବୀକୃତି ପ୍ରାପ୍ତ ନ୍ୟାସନାଲ୍ ରୁରାଲ୍ ଡେଭଲପମେଣ୍ଟ୍ ଇନଷ୍ଟିଟ୍ୟୁଟ୍, ନୂଆଦିଲ୍ଲୀ ,(NRDI) ଆନୁକୁଲ୍ୟରେ ଲୋକକଳା ଛଉ ନୃତ୍ୟର ବିକାଶ ପ୍ରକାଶ, ପ୍ରଚାର ପ୍ରସାରରେ ଜନ ସଚେତନା ଆଣିବା ଓ ଜନସାଧାରଣଙ୍କର ମନୋରଞ୍ଜନ ପୂର୍ବକ ଏକ ଭବ୍ୟ ସଭାର ଆୟୋଜନ କରା ଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ନୀଳକଣ୍ଠ ପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ, କୋଷ୍ଠା ମହାବିଦ୍ୟାଳୟର ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ରାସଗୋବିନ୍ଦପୁର ରେଞ୍ଜର ଶ୍ରୀଯୁକ୍ତ ଘନଶ୍ୟାମ ସିଂ,ପଣ୍ଡିତ ମୃତ୍ୟୁଞ୍ଜୟ ବେହେରା, ଆଇନଜୀବୀ ଶ୍ରୀଯୁକ୍ତ ନରୋତ୍ତମ ପାଣିଗ୍ରାହୀ, ବାରିପଦା, ଶ୍ରୀଯୁକ୍ତ ସୁବାସ ଦାସ, ଶ୍ରୀଯୁକ୍ତ ବିଶ୍ଵଜିତ୍ ନାୟକ ଓ ଶ୍ରୀଯୁକ୍ତ ଦିଲ୍ଲୀପ ଭଞ୍ଜ ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ ଦେଇଥିଲେ। ଉକ୍ତ ସାଂସ୍କୃତିକ ସଭାରେ କବିରତ୍ନ ନୂତନ କୁମାର ବେହେରା, ବରିଷ୍ଠ ସାହିତ୍ୟିକ ପୌରହିତ୍ୟ କରିଥିଲେ। NRDIର ସଭାପତି ବିଶ୍ୱଜିତ ନାୟକ ,ସମ୍ପାଦକ କୁମାର ସମୟ ରଞ୍ଜନ ପରିଚାଳନା ଗତ ସମସ୍ତ ଦାୟିତ୍ବ ତୁଲାଇଥିଲେ। ସଭାରେ ଅତିଥିମାନେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ….ଲୋକକଳାର ଏକ ସ୍ପନ୍ଦନଶୀଳ ଓ ଶକ୍ତିଶାଳୀ ରୂପ ହେଉଛି ଛଉ ନୃତ୍ୟ, ଭାରତର ସାଂସ୍କୃତି ,ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଛଉନୃତ୍ୟ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଲାଭ କରି ଆଜି ବିଶ୍ଵ ପ୍ରସିଦ୍ଧ। ଏହାର ପ୍ରଚାର ପ୍ରସାର ସାରା ବିଶ୍ୱରେ ବ୍ୟାପକ ହୋଇ ଚାଲିଛି। ଛଉନୃତ୍ୟ ଏକ ଯୁଦ୍ଧ ଭିତ୍ତିକ ଭାରତୀୟ ନାଟ୍ୟ । ସମାଜର ରୀତିନୀତି ଏବଂ ଜନ ଜୀବନ ସହିତ ଗଭୀର ଭାବରେ ଜଡ଼ିତ । ଏକ ଅନନ୍ୟ ମନୋରମ ପରିବେଶ ସୃଷ୍ଟିକରେ ଛଉ ନୃତ୍ୟ । ଏ କେବଳ ଏକ ନୃତ୍ୟ ନୁହେଁ ବରଂ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାର କ୍ଷେତ୍ରଟିଏ । ଭାଇଚାରା ଓ ଆଧ୍ୟାତ୍ମିକତାର ବାର୍ତ୍ତାବହ ହୋଇ ସର୍ବଦା ସମାଜକୁ ପ୍ରେରଣା ଦିଏ। ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିବା ବେଳେ ” ବାବା ଶିବଶକ୍ତି ଛଉନୃତ୍ୟ ପ୍ରତିଷ୍ଠାନ “, କୋହି , ମୟୂରଭଞ୍ଜ ତରଫରୁ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ଗଡ଼ିଆ ମେଲଣ ପଡ଼ିଆ ଦୁଲୁକୁ ଥିଲା ଛଉ ନୃତ୍ୟରେ ସମୂହ ବାଦ୍ୟ ବାଜାର ତାଳେ ତାଳେ। ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଗୁଣୀ ଜ୍ଞାନୀ ପ୍ରଶଂସକ ମାନେ ଏହାର ବହୁତ ଗୁଣଗାନ କରନ୍ତି।
