ମୁଁ ବର୍ତ୍ତମାନ ହୋଇ ମଧ୍ୟ…

🖋️କବିରତ୍ନ ନୂତନ କୁମାର ବେହେରା

ମୁଁ ବର୍ତ୍ତମାନ ହୋଇ ମଧ୍ୟ ହେଉନି ମୁଗ୍ଧ
ନିଜଠାରେ ନିଜେ ହୋଇ ପାରୁନି ସିଦ୍ଧ
କାହିଁକି ହେଉଛି ଏତେ ବ୍ୟସ୍ତ ବିବ୍ରତ
ମନକୁ ମୋର କରି ପାରୁ ନାହିଁ ସଂଯତ 
ନିଜ କାର୍ଯ୍ୟରେ ଯିବାକୁ ହୁଏ ତତ୍ପର 
ସବୁଠି ଦେଖୁଛି ହେଉଛି ପାତର ଅନ୍ତର
ପେଟ ଚାଖଣ୍ଡକ ପାଇଁ ହେଉଛି ବିକଳ
ମାନଚିତ୍ର ବଦଳାଇ ଦିଏ ଭୂଗୋଳ
ମୁଁ ସମୟ ଦେଖି ଜଗୁଛି ସକାଳ ପହରୁ
ସେ ନ ଜଗି ଚାଲିଯାଏ ମୋ ପାଖରୁ
ହସ ହସ ମୁହେଁ ବାହାରି ପାରୁନି ଘରୁ
ନ ଦେଇ କିଛି ଖୋଜେ ଅନ୍ୟ ଠାରୁ ସବୁ
ମୋ ପାଇଁ ମୁଁ ହୁଏ ଖାଲି ଛାନିଆଁ
ଠକ ମଠ ହୋଇ ଦେଖେ ସାରା ଦୁନିଆଁ
ରହେ ମାନସିକ ଚାପରେ ଅମାପରେ
କ’ଣ ମୁଠାଇ ଧରି ରଖିବି ମୋ ହାତରେ
ଶାନ୍ତି ଖୋଜୁନି କି ତୃପ୍ତି ବି ଖୋଜୁନି
କିଏ କେତେ ଆଗେଇ ଯାଇ ହେଲେ ବଡ଼
ଭାବେ ବସି ରହିଗଲି ମୁଁ ସବା ପଛରେ
ବାହୁନି ହୁଏ ଏ ସବୁ ନାହିଁ ମୋ ଭାଗ୍ୟରେ
ମୁଁ ବର୍ତ୍ତମାନ ହୋଇ ମଧ୍ୟ ହେଉନି ମୁଗ୍ଧ
ନିଜଠାରେ ନିଜେ ହୋଇ ପାରୁନି ସିଦ୍ଧ
ଅତୀତ କହି ଦେଉଛି ନୀରବରେ
ସେ ବି ଥିଲା ମୋ ପରି ବର୍ତ୍ତମାନ ପୂର୍ବରୁ
ସାଇତି ରଖିଛି ସବୁ ଇତିହାସ ବହିରେ
କହୁଛି ଯେତେ କଥା ମୋ’ଠୁ ପଢ଼ି ଶିଖରେ
ମାନ ତାକୁ ଜୀବନରେ ପାଇ ପ୍ରେରଣା
ଖୋଜ ନିଜେ ନିଜର ବଞ୍ଚିବାର ଠିକଣା
ଇତିହାସର ତ ହେଉଛି ପୁନରାବୃତ୍ତି
ତଥାପି ଅଣଦେଖା କରୁଛି କେମିତି
ଅତୀତ ଗର୍ଭରୁ ଜନ୍ମ ହୋଇଛି ବର୍ତ୍ତମାନ
ତାକୁ କରି ଚାଲିଛି ସଦା ପ୍ରତ୍ୟାଖ୍ୟାନ
ମୁଁ ବର୍ତ୍ତମାନ ବୋଲି କରୁଛି ଆତ୍ମାଭିମାନ
ଭୁଲି ଯାଉଛି ନିଜେ ନିଜର ସ୍ଵାଭିମାନ
ସ୍ଥାୟୀ ହୋଇ ରହିବ କି ଏ ଜୀବନ
ଅନୁକୂଳରେ ବିତେ ନାହିଁ ତ ସବୁ ଦିନ
ଆସ୍ଫାଳନରେ କରୁଛି ଅହଂକାର
ସେଇ ଗୋଟାଏ ଭୁଲ୍ କରେ ବାରମ୍ବାର
ପଲକ ପଡ଼ିଲେ ମୁଁ ବି ହେବି ଅତୀତ
ଏ କଥା ମୁଁ କେବେ ଭାବୁନି ତ
ପାଇବା ପାଇଁ ପାଗଳ ଦିଏନା କିଛି
ସବୁ ମୋର ଦରକାର ନିଏ ବାଛି ବାଛି
ମୁଁ ବର୍ତ୍ତମାନ ହୋଇ ମଧ୍ୟ ହେଉନି ମୁଗ୍ଧ
ନିଜଠାରେ ନିଜେ ହୋଇ ପାରୁନି ସିଦ୍ଧ
ଭବିଷ୍ୟତ ପାଇଁ ହେଉଛି ଆତଙ୍କିତ
ଶଙ୍କା ସନ୍ଦେହରେ ରହୁଛି ଏମନ୍ତ
ନିଜକୁ ନବୁଝି ବୁଝୁଛି ଅନ୍ୟକୁ ବେଶି
ମୋତେ ଦେଖି ସମୟ ଦିଏ ହସି
ଖୁସି ହେଉ ନାହିଁ ଦେଖି ଅନ୍ୟର ଖୁସି
ମନ ନ ମାନିଲେ ରହୁଛି ରୁଷି
ଅତୀତରୁ ନ ସାଉଁଟି ଖୋଜୁଛି ଜ୍ଞାନ
ଯେତେ ଜ୍ଞାନ ଅରଜିବାକୁ ଧନ
ଦେଖୁ ନାହିଁ କାହାରି ମାନ ସମ୍ମାନ
ସେ ଦିଗକୁ କେବେ ଦେଉ ନାହିଁ ଧ୍ୟାନ
ନୀତି ନିୟମ ନ ମାନି ମୁଁ ରୁନ୍ଧି ହୁଏ
ନିଜକୁ ନିଜେ ମୁଁ ହଜାଇ ଦିଏ
ଖୋଜିବା ପାଇ ମଧ୍ୟ ହେଉଛି ଅସନ୍ତୁଷ୍ଟ
ନିଜେ କରୁଛି ନିଜର ମର୍ଯ୍ୟାଦା ନଷ୍ଟ
ମନ ହେଉ ନାହିଁ ଥୟ ଯେତେ ପାଇଲେ
ପେଟ ପୁରୁ ନାହିଁ ଯେତେ ବି ଖାଇଲେ
ସବୁଠୁ ଅଧିକ ଖୋଜେ ମୁଁ ବିଭବ
ଭାବୁନି କେବେ ଏତେ ସବୁ କ’ଣ ହେବ
ନିଜଠାରେ ନିଜେ ହୋଇ ପାରୁନି ସିଦ୍ଧ
ମୁଁ ବର୍ତ୍ତମାନ ହୋଇ ମଧ୍ୟ ହେଉନି ମୁଗ୍ଧ।

କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *