ଶବ୍ଦ

 ✍🏼କବିରତ୍ନ ନୂତନ କୁମାର ବେହେରା

ପାହିଗଲେ ଘନ ଅନ୍ଧକାରର ରାତ୍ର
ପୂର୍ବାକାଶେ ଉଇଁ ଆସନ୍ତି ସୂର୍ଯ୍ୟଦେବ
ସୁନେଲି ଆଲୁଅ ଉଦ୍ଭାସିତ ହୁଏ ସର୍ବତ୍ର
କାର୍ଯ୍ୟରତ ହୁଅନ୍ତି ସଂସାରେ ସଚରାଚର
ନିଜ ନିଜ କର୍ତ୍ତବ୍ୟରେ ଯେତେ ଚରିତ୍ର
ପଲ୍ଲବିତ ଗଛରୁ ଖସିଲେ ପାଚିଲା ପତ୍ର
ନୀଡ଼ ଛାଡ଼ି ଉଡ଼ିଗଲେ ପକ୍ଷୀ ଅତ୍ର ତତ୍ର
ଉଲ୍ଲସିତ ହୁଏ ଜୀବ ଜଗତର ଚିତ୍ର
ସବୁକୁ ଚଳ ଚଞ୍ଚଳ କରାଏ ଶବ୍ଦ
କେବେ ହୁଏ ମୃଦୁ କେବେ ହୁଏ ତୀବ୍ର
ଶବ୍ଦର ସଂଯୋଜନାରେ ଚାଲନ୍ତି
ଜୀବନ୍ତ ପ୍ରାଣୀଙ୍କ ଠାରୁ ପ୍ରକୃତିର ପଞ୍ଚଭୂତ
ଶବ୍ଦ ସଞ୍ଚାରିତ ହେଉଥାଏ ନିରନ୍ତର
ହୃଦୟର ଯେତେ ଭାବକୁ ମନ କରେ ଚିନ୍ତନ
ମୁହଁରୁ କଥା ରୂପେ ସ୍ଫୁରେ ତା’ ଅଦୃଶ୍ୟ ଶବ୍ଦରେ
ଘରେ ବାହାରେ ହୁଏ ଭାବ ବିନିମୟ
ସଂପର୍କକୁ ରଖିବା ପାଇଁ ସଦା ଅତୁଟ ମଧୁର
ଅବା ଦେବାଳୟର ପୁଣ୍ୟପୀଠରେ ପୂଜକ
ଦେବାଦେବୀଙ୍କର ପୂଜାରେ ପାଠ କରନ୍ତୁ ମନ୍ତ୍ର
ଶବ୍ଦର ପ୍ରକାଶେ ଆଧାରିତ ଜୀବନ ସୂତ୍ର
ଶବ୍ଦ ବ୍ୟତିରେକ ଯୋଗାଯୋଗ ହୁଏ ବିଚ୍ଛିନ୍ନ
ନିଃସଙ୍ଗତାରେ ଲାଗେ ସବୁ ବିଚିତ୍ର
ପ୍ରାଣର ସ୍ପନ୍ଦନରେ ଇନ୍ଦ୍ରିୟ ସବୁ ପରିଚାଳିତ
ନୀରବ ଶବ୍ଦ ଯୋଗାଇଥାଏ ଶରୀରକୁ ଇନ୍ଧନ
ଆଶା ଆକାଂକ୍ଷାକୁ କରିବା ପାଇଁ ସାକାର
ମୃଦୁ ମଧୁର ଶବ୍ଦ ଦେଇ ଥାଏ ଆହ୍ଵାନ
ଜାଗ୍ରତ ହୁଅ କର୍ମ ସାଧନେ ରୁହ ଏକାଗ୍ର
ଶୂନ୍ୟ ଶବ୍ଦ ଅମୃତବାଣୀରେ ହୁଏ ରୂପାନ୍ତର
ଶବ୍ଦରୁ ଆନ୍ଦନ୍ଦ ଶବ୍ଦରୁ ଅବସାଦ
ଶବ୍ଦରୁ ଭାବ ଶବ୍ଦରୁ ହୁଏ ଭେଦାଭେଦ
ଶବ୍ଦ ବ୍ରହ୍ମ ରୂପେ ସର୍ବଦା ରହିଥାଏ ନିରାକାର
ନୀରବ ଅବା ତୀବ୍ର ଶବ୍ଦକୁ ବୁଝି ମନ
କରୁଥାଏ ଜ୍ଞାନର ଅଭିଜ୍ଞତାରେ ଉପଚାର
ଶବ୍ଦରୁ ଆକର୍ଷଣ ଶବ୍ଦରୁ ପୁଣି ବିକର୍ଷଣ
ଜୀବନ ସ୍ରୋତ ବାଧା ଏଡ଼ି ଧାଇଁଥାଏ ଅବିରତ
ରହିବାକୁ ସ୍ବତନ୍ତ୍ର ସ୍ଵାଧୀନ ନିର୍ବିକାର
ରୁଚି ଗୁଣ ସ୍ବଭାବକୁ ନେଇ ଚାଲେ ମଣିଷ
ତା’ ବୁଦ୍ଧି ବିଦ୍ୟାରୁ ଭାବନା ହୁଏ ପବିତ୍ର
ଶବ୍ଦର ଗୁରୁତ୍ଵକୁ କରି ପାରିଲେ ଉପଲବ୍ଧି
ରହେ ହସ ଖୁସି ଆନନ୍ଦରେ ଶାନ୍ତ ନମ୍ର
ଶବ୍ଦ ବ୍ରହ୍ମକୁ ଭୁଲ୍ ବୁଝି କଲେ କଦର୍ଥ
ମାନସିକ ଉତ୍ତେଜନାରେ ହୋଇ ବ୍ୟତି ବ୍ୟସ୍ତ
କ୍ରମବିକାଶରେ ରହେ ଜଣେ ଅନଗ୍ରସର
ସୂକ୍ଷ୍ମ ବିଚାରରେ ନେଲେ ଉଚିତ ନିଷ୍ପତ୍ତି
ଶବ୍ଦ ହିଁ ଶବ୍ଦରୁ ଦୂର କରେ ପ୍ରଭେଦ
ହୃଦୟରୁ ନିଃସୃତ ହୁଅଇ ଅପୂର୍ବ ଆନନ୍ଦ
ଶବ୍ଦର ବନ୍ଧନେ ବନ୍ଧା ରହିଛି ସଂସାର…।

 କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *