ସୀତା ବିବାହ

           ସୀତା ବିବାହ
( ରାଗ — କଳହଂସ କେଦାର )

🖊️ କବିରତ୍ନ ନୂତନ କୁମାର ବେହେରା

ମିଥିଳା ରାଇଜେ ଜନକ ନନ୍ଦିନୀ
ରୂପ ଗୁଣେ ଥିଲେ ସେ ଚାରୁ ବଦନୀ ଯେ,
ଲଙ୍ଗଳ ସିୟାରୁ ଆବିର୍ଭାବ ହୋଇ
ପରିଚିତା ହେଲେ ସୀତା ନାମ ପାଇ ଯେ।୧।

ସୂର୍ଯ୍ୟ ପ୍ରଭା କାନ୍ତିରେ ଲାବଣ୍ୟମୟୀ
ଚାନ୍ଦ ସ୍ନିଗ୍ଧା ଝଟକରେ ଶୋଭାମୟୀ ଯେ,
ଆଦିଶକ୍ତି ସ୍ଵରୂପିଣୀ ତେଜମୟୀ
ଅପରାଜିତା ଶକ୍ତିର କୃପାମୟୀ ଯେ।୨।

ତାଙ୍କ ଉପଯୁକ୍ତ ପାଇବାକୁ ବର
ଆୟୋଜନ ହୋଇଥିଲା ସ୍ଵୟମ୍ବର ଯେ,
ଆମନ୍ତ୍ରିତ ହୋଇ ରାଜା ମହାରାଜା
ଆସିଥିଲେ ଦମ୍ଭେ କରି ସାଜସଜ୍ଜା ଯେ।୩।

ମହର୍ଷି ବିଶ୍ଵାମିତ୍ର ସଙ୍ଗତେ ଘେନି
ଆଣିଥିଲେ ରାମ ଲକ୍ଷ୍ମଣଙ୍କୁ ବେନି ଯେ,
ଦେଖିବେ ସୀତା ସ୍ଵୟମ୍ବର ସ୍ଵନେତ୍ରେ
ଭାଙ୍ଗିବ କିଏ ଶିବଧନୁ ବିଚିତ୍ରେ ଯେ।୪।

ସେଇ ଦିନ ସୁପ୍ରଭାତେ ଉପବନେ
ସୁମନ ତୋଳିବା ବେଳେ ଏକ ଧ୍ୟାନେ ଯେ,
ରାମ ସୀତାଙ୍କ ଭେଟ ହେଲା ସଂଯୋଗେ
ସେ ଦୁହେଁ ଆକୃଷ୍ଟ ହେଲେ ଅନୁରାଗେ ଯେ।୫।

ଶ୍ରୀରାମଙ୍କୁ ପତିରୂପେ ପାଇବାକୁ
ସୀତା ସ୍ତୁତି କେଲେ ମା’ ଭଗବତୀଙ୍କୁ ଯେ,
ବିଧିର ବିଧାନେ ଲକ୍ଷ୍ମୀ ନାରାୟଣ
ମାନବ ରୂପେ ମର୍ତ୍ତ୍ଵେ ବିରାଜମାନ ଯେ।୬।

ଶିବ ଧନୁ ଭାଙ୍ଗିବାକୁ ଚେଷ୍ଟା କରି
ବିଫଳ ହୋଇ ଯେତେ ପଡ଼ିଲେ ହାରି ଯେ,
ତହୁଁ ବିଶ୍ଵାମିତ୍ର କହିଲେ ରାମଙ୍କୁ
ଯାଇ ଭାଙ୍ଗ ହେ ବୀର ଶିବଧନୁକୁ ଯେ।୭।

ଆଜ୍ଞାରେ ଚଳି ସଭାସ୍ଥଳେ ଶ୍ରୀରାମ
ଭାଙ୍ଗି ଧନୁ ଦେଖାଇଲେ ପରାକ୍ରମ ଯେ,
ଚକିତେ ସକଳେ ଦେଲେ କରତାଳି
ଆନନ୍ଦେ ମିଥିଳା ପଡିଲା ଉଛୁଳି ଯେ।୮।

ସୀତା ସ୍ଵହସ୍ତେ ଧରି ବରଣମାଳା
ପିନ୍ଧାଇ ଦେଲେ ଯାଇ ନକରି ହେଳା ଯେ,
ପୁଷ୍ପ ମାଲ୍ୟେ ଶୋଭିଲା ରାମଙ୍କ ଗଳା
ମାନବ ଜନମେ ପ୍ରଭୁଙ୍କ ଏ ଲୀଳା ଯେ।୯।

ଶାସ୍ତୀୟ ମତେ ହେଲା ସୀତା ବିବାହ
ତ୍ରିପୁରେ ବଢିଲା ଆନନ୍ଦ ଉତ୍ସାହ ଯେ,
ସୀତା ରାମ ଶୁଭ ପରିଣୟ ଦେଖି
ପବିତ୍ର ହୋଇଲା ସଭିଙ୍କର ଆଖି ଯେ।୧୦।

ଜଗତ କରତା ସଙ୍ଗେ ଆଦିମାତା
ମାନବ ଲୀଳାରେ ଦିଅନ୍ତି ବାରତା ଯେ,
ଜଗତ ହିତେ ଆସନ୍ତି ଅବତରୀ
କବି ନୂତନ ପ୍ରଣମେ ତାଙ୍କୁ ସ୍ମରି ଯେ।୧୧।

କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *