ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଲେଖି ଆସୁନି ଚତୁର୍ଥ ଶ୍ରେଣୀ
ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଲେଖି ଆସୁନି ଚତୁର୍ଥ ଶ୍ରେଣୀ।ନିମାପଡା ( ) ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଲେଖି ଆସୁନି ଚତୁର୍ଥ ଶ୍ରେଣୀ। ନିଜ ନାମ ମଧ୍ୟ ଓଡ଼ିଆରେ ଠିକ ସେ ଲେଖି ପାରୁ ନାହାନ୍ତି। ନିମାପଡା ବଳଙ୍ଗା ଅଂଚଳର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଚାଲିଛି ପାଠପଢ଼ା। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢ଼ା ଯାଉଥିବା ବେଳେ ମୋଟ ପିଲାଙ୍କ ସଂଖ୍ୟା 29। ଗୋଟିଏ ଶ୍ରେଣୀରେ ପ୍ରଥମରୁ ପଞ୍ଚମ ପିଲା ବସି ପାଠ ପଢୁଛନ୍ତି। ଜଣେ ଶିକ୍ଷକ ଜଣେ ଶିକ୍ଷୟତ୍ରୀ ଅଛନ୍ତି। ସରକାର ସରକାରୀ ସ୍କୁଲକୁ ବହୁ ମାତ୍ରାରେ ପିଲା ଆସନ୍ତୁ ସେ ନେଇ ବିଭିନ୍ନ ଯୋଜନା କରୁଛନ୍ତି ହେଲେ ମୋଟା ଅଙ୍କର ଦରମା ପାଇ ଶିକ୍ଷକ ଶିକ୍ଷୟତ୍ରୀ ଏଭଳି ଶିକ୍ଷାଦାନ ଦେଉଛନ୍ତି ଯେ ଅଭିଭାବକ ମାନେ ବେସରକାରୀ ସ୍କୁଲକୁ ପସନ୍ଦ କରୁଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟ ଶମ୍ଭୁଭାରତୀ ପାଟଣା,ବଳଙ୍ଗା। 1962 ମସିହାରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢ଼ା ଯାଉଛି। ଚତୁର୍ଥ ଶ୍ରେଣୀ ପିଲା ଚତୁର୍ଥ ଶ୍ରେଣୀ ଲେଖି ପାରୁ ନାହାନ୍ତି। ପଞ୍ଚମ ଶ୍ରେଣୀର ଛାତ୍ରୀ ନିଜ ନାମ ଠିକ ସେ ଓଡ଼ିଆରେ ନାମ ଲେଖି ପାରୁ ନ ଥିବା ବେଳେ ଇଂଲିଶରେ ଲେଖିବା ଦୂରରେ ଥାଉ। ପଞ୍ଚମ ଶ୍ରେଣୀ ପିଲାଙ୍କ ସଂଖ୍ୟା ଜ୍ଞାନ ନ କହିବା ଭଲ। ଶବ୍ଦରେ ନାଇଟିନ ଲେଖି ପାରୁ ନାହାନ୍ତି। ନାଇଟିନକୁ ଅଙ୍କରେ ଲେଖୁଛନ୍ତି 99। ଛଅରେ ନଅ ଅଣସ୍ତୋରି ମଧ୍ୟ କହି ପାରୁ ନାହାନ୍ତି। ଛାତ୍ର ଛାତ୍ରୀଙ୍କ ମୋଟ ସଂଖ୍ୟା ହେଉଛି ପ୍ରଥମରେ ଦୁଇ ଜଣେ ଦ୍ୱତୀୟରେ ଜଣେ, ତୃତୀୟରେ ଆଠ ଜଣ ଚତୁର୍ଥରେ ନଅ ଜଣ ପଞ୍ଚମରେ ମଧ୍ୟ ନଅ ଜଣ ସମୁଦାୟ ପିଲା ସଂଖ୍ୟା 29। ପିଲାଙ୍କ ସଂଖ୍ୟା ଏତେ କମ ଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ ସେ କହୁଛନ୍ତି ଖୁବ ନିକଟରେ ଏକ ବେସରକାରୀ ଶିକ୍ଷା ଅନୁଷ୍ଠାନ ଅଛି ସେଠିକି ପିଲା ପଳାଉଛନ୍ତି। ପିଲାମାନେ ସାଧାରଣ କଥା ଜାଣି ନ ଥିବା ନେଇ ପଚାରିଲେ ପ୍ରଧାନ ଶିକ୍ଷକ କହୁଛନ୍ତି ଗୋଟିଏ ଶ୍ରେଣୀରେ ସମସ୍ତେ ବସୁ ଥିବାରୁ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏମିତି ବ୍ୟାଘାତ ସୃଷ୍ଟି ହେଉଛି ଯେ ପଞ୍ଚମ ଶ୍ରେଣୀର ପିଲା ଆମ ଦେଶ, ଆମ ରାଜ୍ୟ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନାମ କହି ପାରୁ ନାହାନ୍ତି। ଦ୍ୱତୀୟ ଶ୍ରେଣୀରେ ଆମ ଦେଶ ସ୍ୱାଧୀନତା କେବେ ପାଇଥିଲା ସିଲାବଶରେ ଥିବା ବେଳେ ପଞ୍ଚମ ଶ୍ରେଣୀ ପିଲା ସ୍ୱାଧୀନତା ଦିବସ କଣ ଜାଣିନି। ପଣିକିଆ ତ ପିଲାମାନେ କିଛି ଜାଣି ହିଁ ନାହାନ୍ତି। ପଞ୍ଚମ ଶ୍ରେଣୀ ପିଲା ଦୈନିକ ଲେଖି ପାରୁ ନାହିଁ। What is your name ପଚାରିଲେ ଉତ୍ତର ଦେଉଛନ୍ତି ଓଡ଼ିଆରେ । ଓଡ଼ିଆରେ ନିଜ ନାମ ମଧ୍ୟ ଠିକ ସେ ଲେଖି ପାରୁ ନାହାଁନ୍ତି। ପାଠ ପଢ଼ା ବାଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଗେଟଅପକୁ ଟିକେ ଦେଖନ୍ତୁ । ସାର୍ଟ ଖୋଲି ବିଦ୍ୟାଳୟରେ ବସି ପାଠ ପଢାଉଛନ୍ତି। ଆଜିର ଶିଶୁ କାଲିର ଭବିଷ୍ୟତ। କାଲିର ଭବିଷ୍ୟତଙ୍କୁ କିପରି ଶିକ୍ଷାଦାନ ଦିଆ ଯାଉଛି ତାହା ଏହି ବିଦ୍ୟାଳୟରୁ ସ୍ପଷ୍ଟ ଅନୁମେୟ। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ଏ ଘଟଣା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ତେବେ ସରକାରଙ୍କ ପ୍ରୟାସକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୁରୁତର ସହ ନେଇ ସଠିକ ଶିକ୍ଷାଦାନ ଦେଲେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ଛାତ୍ର ଛାତ୍ରୀ ମାନେ ଆକୃଷ୍ଟ ହୋଇ ପାରିବେ।
