ସାରା ଭାରତରେ ମିଳିବ ମାଗଣା ଗୁଣାତ୍ମକ ଚିକିତ୍ସା # ଆୟୁଷ୍ମାନ ଭାରତ କାର୍ଡ ଶୁଭାରମ୍ଭ

କାକଟପୁର,୧୧.୦୪ ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶାର ମାର୍ଗ ପ୍ରଶସ୍ତ ହୋଈ ରାଜ୍ୟରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋବନ୍ଦନା ଯୋଜନା’ର ଶୁଭାରମ୍ଭ ହୋଇଛି। ଲୋକଙ୍କ କଲ୍ୟାଣ ପାଇଁ ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବିନାମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସୁବିଧା ସୁନିଶ୍ଚିତ କରିଛି। ଯାହା ପ୍ରତି ହିତାଧିକାରୀଙ୍କୁ ସାରା ଭାରତରେ ମିଳିବ ମାଗଣା ଗୁଣାତ୍ମକ ଚିକିତ୍ସା। ଏନେଇ ଶୁକ୍ରବାର ଆୟୁଷ୍ମାନ ଭାରତ କାର୍ଡ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କାକଟପୁର ବ୍ଲକ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ଓ ଅଧକ୍ଷ ଶ୍ରୀଧର ନାୟକଙ୍କ ତତ୍ତ୍ଵାବଧାନରେ ବ୍ଲକର ୪ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାକଟପୁର, ଫକିରସାହି, ପାଟପୁର ଓ ବାଲିଦୋକାନରେ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପସ୍ଥିତ ହିତାଧିକାରୀ ମାନେ ସିଧା ପ୍ରସାରଣ ଦ୍ଵାରା ଆୟୁଷ୍ମାନ ଭାରତ କାର୍ଡ ଶୁଭାରମ୍ଭ ଦେଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ବାଲିଯାତ୍ରା ପଡିଆରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସମେତ ଅନେକ ନେତା ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। କାକଟପୁର ବାଲିଦୋକାନ ହାଟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁ, ବାଙ୍ଗୁରୀ ଗାଁ ମେଡ଼ିକାଲ ସୂପରିଟେଣ୍ଡେଣ୍ଟ ଡଃ ଶାନ୍ତି ଭୂଷଣ ଜେନା, ବାଲିଦୋକାନ ମେଡ଼ିକାଲ ଅଫିସର ଡଃ ଅବିନାଶ ସ୍ବାଇଁ , ବିପିଏମ ଅମିତ୍ ଉପାଧ୍ୟାୟ, ସରପଞ୍ଚ ରୂପାଲି କାଣ୍ଡି, ଯନ୍ତ୍ରୀ ଭାଗ୍ୟଧର ଧଳ, ଅଜୟ ଜେନା ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଭାରତ କାର୍ଡ ଉପରେ ହିତାଧିକାରୀ ମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ୫ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ, ପଞ୍ଚାୟତ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମହିଳା ଗୋଷ୍ଠୀ ସଭ୍ୟା ଓ ହିତାଧିକାରୀ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *