ଝାମୁଯାତ୍ରାରେ ହେବ ମିଶନ ଶକ୍ତି ସମାରୋହ
କାକଟପୁର,୧୨/୦୪()- ଆସନ୍ତା ମଙ୍ଗଳବାର କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା”ମଙ୍ଗଳାଙ୍କ ପ୍ରସିଦ୍ଧ ଶେଷ ପାଳି ଝାମୁଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବହୁମୂଖୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଉପକୃତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଦ୍ଵାରା ଆତ୍ମ ନିର୍ଭରଶୀଳ ମାଧ୍ୟମ ଗୁଡିକର ଷ୍ଟଲ ପ୍ରଦର୍ଶିତ କରାଯିବ। ସୁଭଦ୍ରା ଯୋଜନା ସଫଳତା, ଲକ୍ଷପତି ଦିଦିଙ୍କ ସଫଳତା କାହାଣୀ, ମହିଳାଙ୍କୁ ଋଣ ବ୍ୟବସ୍ଥା, ସ୍କୁଟି ଯୋଜନା ସହ ହସ୍ତଶିଳ୍ପ ମହିଳା କାରିଗରଙ୍କ କଳାକୃତି ପ୍ରଦର୍ଶନ କରାଯିବ। ମା ମଙ୍ଗଳାଙ୍କ ଭକ୍ତଙ୍କ ପାଇଁ ପଣା ପାଣି, ପ୍ରସାଦ ସେବନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ପାଇଁ କାର୍ଯ୍ୟକ୍ରମ ରହିଛି। ଯାହାକୁ ମିଶନ ଶକ୍ତି ମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା ଯୋଗଦେଇ କରକମଳରେ ଉଦ୍ଘାଟନ କରିବା ସହ ମହିଳାଙ୍କ ସମ୍ବୋଧନ କରିବେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରୁଥିବା ଯୋଜନା ଗୁଡ଼ିକର ପ୍ଲାକାର୍ଡ ଷ୍ଟଲରେ ପ୍ରଦର୍ଶନ କରିବା ସହିତ ସଂଖ୍ୟାଧିକ ମହିଳାଙ୍କୁ ସେମାନଙ୍କର ସମସ୍ୟା ଓ ସମାଧାନର ଉପାୟ ସଂପର୍କରେ ଯାତ୍ରାରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ସଚେତନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍ନରେ ସୂଚନା ଦେଇଛନ୍ତି।
