ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ:୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା,୪ ଗୁରୁତର

ଫୁଲବାଣୀ:-୧୫/୦୪ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସ୍ବାଗତ ସେନାପତି କହିଛନ୍ତି ସେମାନଙ୍କୁ ବର୍ତ୍ତମାନ ଅବଜେରବେସନରେ ରଖାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡିଦିଆଯିବାକୁ ଚିନ୍ତା କରୁଛୁ ବୋଲି ଡାକ୍ତର କହିଛନ୍ତି।ପ୍ରକାଶ ଯେ ସକାଳ ୧୧ ଟାରେ ବିଦ୍ୟାଳୟ ଛୁଟି ପରେ ଛାତ୍ରୀଛାତ୍ର ମାନେ ଗାଧୋଇବାକୁ ସେବାଶ୍ରାମ ବାହାରକୁ ଯାଇଥିଲେ। କିଛି ଛାତ୍ରୀଛାତ୍ର ଗାଧୋଉଥିଲେ ସେହି ସମୟରେ ସେବାଶ୍ରମ ପରିସର ମଧ୍ୟରେ ବସା ବାନ୍ଧିଥିବା ମହୁମାଛିମାନେ କୌଣସି କାରଣରୁ ଉଡିବା ଆରମ୍ଭ କରିବା ସହ ଛାତ୍ରୀଛାତ୍ର ମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀଛାତ୍ରମାନେ ଏଣେ ତେଣେ ଦୌଡ଼ି ବିଦ୍ୟାଳୟ ଭିତରକୁ ପଶିଯାଇଥିଲେ। ପରେ କୌଣସି ସୂତ୍ରରୁ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଶୁଣି ଘଟଣା ସମ୍ପର୍କରେ ଶୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକଙ୍କ ନିକଟରେ ପହଞ୍ଚି ମହୁମାଛିର ଆକ୍ରମଣରେ ଶିକାର ହୋଇଥିବା ଛାତ୍ରୀଛାତ୍ର ମାନଙ୍କୁ ୨ଟି ଅଟୋରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ୪ ଜଣ ଗୁରୁତରଙ୍କୁ ଛାଡି ଅନ୍ୟମାନଙ୍କୁ ପୁଣି ସେବାଶ୍ରମକୁ ଫେରେଇ ନିଆଯାଇଥିଲା।ଖବର ପାଇ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ତୁରନ୍ତ ମେଡିକାଲ ଟିମ ଆମ୍ବୁଲାନ୍ସ ବାଡାବାଙ୍ଗା ସେବାଶ୍ରମକୁ ପଠାଇଥିଲେ। ଏଥି ସହ ସରପଞ୍ଚଙ୍କୁ କୌଣସି ଗାଡି ମିଳିଲେ ତୁରନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ ସମସ୍ତଙ୍କ ଉଦ୍ୟମରେ ସ୍ବାସ୍ଥ୍ୟକେନ୍ଦ୍ରରେ ପିଲାଙ୍କୁ ପହଞ୍ଚାଯାଇଥିଲା। ବିଡ଼ିଓ ଏହାର ତଦନ୍ତ କରିବା ସହ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶୀ ସାହୁଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରସ୍‌କୁ ପିଲାଙ୍କ ତଦାରଖ ପାଇଁ ପଠାଇଛନ୍ତି ବୋଲି କହିଛନ୍ତି।ସୂଚନାଯୋଗ୍ୟ ଯେ, ୧ ସପ୍ତାହ ପୂର୍ବରୁ ବିଡ଼ିଓ ସମସ୍ତ ସେବାଶ୍ରାମ୍ର କର୍ତ୍ତୃପକ୍ଷଙ୍କୁ ଡକାଇ ସମସ୍ୟା ସମ୍ପର୍କରେ ପଚାରିଥିଲେ। ବାଡାବାଙ୍ଗା ସେବାଶ୍ରମରେ ଗତ କିଛି ବର୍ଷ ହେଲା ନିୟମିତ ମହୁମାଛି ବସା ବାନ୍ଧୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କିଭଳି ଜାଣିପାରୁନାହାନ୍ତି ସେ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ଏନେଇ ପ୍ରଧାନ ଶିକ୍ଷକ ହ୍ବାଟ୍ସଆପ ଗ୍ରୁପରେ ଜଣାଇଥିଲି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *