କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

କାକଟପୁର,୧୬.୦୪ ୧୯୪୫ ମସିହାରେ ସ୍ଥାପିତ କାକଟପୁରରେ ଅବସ୍ଥିତ ବହୁ ପୁରାତନ ସ୍କୁଲ୍ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୮୧ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀକାନ୍ତ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ପୁରୀ ଜିଲ୍ଲା ସହ ଶିକ୍ଷା ଅଧିକାରୀ ହିମାଂଶୁ ଭୁଷଣ ସାବତ,ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ବାରିକ, ସୁସାହିତ୍ୟିକ ପାର୍ଥ ସାରଥି ଅଜୟ ବାରିକ, ଶିକ୍ଷାବିତ୍ ବିଶ୍ୱଜିତ୍ ଘୋଷ, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଶିକ୍ଷଣୀୟ ଓ ଉପାଦେୟ ବାର୍ତ୍ତା ଛିଞ୍ଚନ କରିଥିଲେ। ନିଜର ଅନ୍ତର୍ନିହିତ ଗୁଣକୁ ପିଲା ମାନେ ଚିଂହ୍ନନ୍ତୁ ଓ ସମାଜ ପାଇଁ ଆଦର୍ଶ ଛାତ୍ର ତଥା ବ୍ୟକ୍ତି ହୋଇ ନିଜକୁ ଗଢନ୍ତୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ।

ବିଗତ ବର୍ଷରେ ବିଦ୍ୟାଳୟର ସଫଳତା, ଛାତ୍ର ଛାତ୍ରୀ ମାନଙ୍କ ସଫଳତା ବଖାଣିବା ସହ ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଯାହା ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମନୋରଞ୍ଜନ ଯୋଗାଇଥିଲା। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରତାପ ରାଉତ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *