ସଂସ୍କୃତ ପଣ୍ଡିତ ସ୍ବର୍ଗତ ମହେଶ୍ବର ଦାଶଙ୍କ ସ୍ମୃତିସଭା

ପୁରୀ, ୨୦/୪-ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମର ପ୍ରଥମ ଖଣ୍ଡି ଗୋପୀନାଥ ମନ୍ଦିର ନିକଟସ୍ଥ ବିଶିଷ୍ଟ ପଣ୍ଡିତ ସ୍ବର୍ଗତ ମହେଶ୍ବର ଦାଶଙ୍କ ଦଶାହ ଦିନ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ପିତା ସ୍ବର୍ଗତ ପଣ୍ଡିତ ଚିନ୍ତାମଣି ଦାଶ ଓ ମାତା ସୋରୀ ଦେବୀଙ୍କ ପାଞ୍ଚ ପୁତ୍ର ମଧ୍ଯରୁ ଅନ୍ୟତମ ପୁତ୍ର ଥିଲେ ।ସଂସ୍କୃତ ବିଦ୍ବାନ, ମିଷ୍ଟଭାଷୀ, ଧର୍ମପରାୟଣ ଓ ମେଳାପି ବ୍ଯକ୍ତି ଭାବେ ପୁରୀଜିଲ୍ଲାରେ ପରିଚିତ ଥିଲେ । ଛାତ୍ରବତ୍ସଳ ସଂସ୍କୃତ ଶିକ୍ଷକ ଭାବେ ଅସ୍ତରଙ୍ଗ ପାଟଳଦା ହାଇସ୍କୁଲରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ । ଚାକିରି ଆରମ୍ଭରୁ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରି ସେହି ଅଞ୍ଚଳରେ ଲୋକପ୍ରିୟ ପଣ୍ଡିତ ସାର ଭାବେ ଅଞ୍ଚଳରରେ ବେଶ ପରିଚିତ ଥିଲେ । ସରଳତା, ସ୍ନେହ, ଶ୍ରଦ୍ଧା, ପ୍ରେରଣା ଓ ଦିଗଦର୍ଶନ ଗମ୍ଭୀର ହୃଦୟ ଆମ୍ଭ ଜୀବନରେ ପାଥେୟ ହେଉ ବୋଲି ସ୍ମୃତିଚାରଣ ସଭାରେ ଅତିଥି ମାନେ ଆଲୋକପାତ କରିଥିଲେ । ସେ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ହେତୁ ଭୁବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ଗମନ କରିଥିଲେ । ଯେଉଁ ମାଟିରେ ଜନ୍ମ ଗ୍ରହଣ କରିଥିଲେ ସେଇ ମାଟିର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଦୁଇପୁତ୍ର ସିଦ୍ଧାର୍ଥ ଓ ଶ୍ରୀପତି ମୁଖାଗ୍ନି ଦେଇଥିଲେ । ସ୍ମୃତି ସଭାରେ ତାଙ୍କ ସହକର୍ମୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତ୍ତବାସ ନାୟକ, ଶିକ୍ଷକ ପ୍ରମୋଦ କୁମାର କର, ଅମ୍ବିକା କର,ଅଜିତ ସାର ଯୋଗଦେଇ ସ୍ବର୍ଗତ ପଣ୍ଡିତ ସାରଙ୍କ ଆଦର୍ଶ, ସଚ୍ଚୋଟତା, ତ୍ଯାଗ, ନିଷ୍ଠା,ଶ୍ରଦ୍ଧା, ସମୟାନୁବର୍ତ୍ତିତା ଆମ ପାଇଁ ଚିରଦିନ ଉଦାହରଣ ହୋଇ ରହିବ ବୋଲି ମତବ୍ୟକ୍ତ କରି ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ କର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ରଙ୍କ ଦ୍ବାରା ବେଦପାଠ କରାଯାଇଥିଲା । ଗ୍ରାମର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମାଜସେବୀ, ଅସ୍ତରଙ୍ଗ ବିଦ୍ୟାଳୟର ଶିକ୍ଷକ, ସାଙ୍ଗସାଥୀଙ୍କ ସମେତ ଦାଶ ପରିବାରର ବନ୍ଧୁ ପରିବାରବର୍ଗ, ଅତ୍ମିୟସ୍ବଜନ, ଶତାଧିକ ବ୍ଯକ୍ତି ଓ ଗ୍ରାମର ଲିଙ୍କରାଜ ଯୁବକ ସଂଘ, ଗୋପୀନାଥ ଯୁବକ ସଂଘ, ଆଚାର୍ଯ୍ଯ ହରିହର ଯୁବକ ସଂଘର ସମସ୍ତ ସଦସ୍ଯ ମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ପ୍ରଣିପାତ କରି ଅମର ଆତ୍ମାର ସଦଗତି କାମନା କରି ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରିଥିଲେ । ଶ୍ରୀବତ୍ସ ଦାଶ, ସମ୍ବିତ କେଶରୀ ଦାଶ, ସାନ୍ଦିପନୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *