ତୁମ ବିନା ସବୁ ଲାଗେ ଶୂନ୍ୟ ଶୂନ୍ୟ

       ତୁମ ବିନା ସବୁ ଲାଗେ ଶୂନ୍ୟ ଶୂନ୍ୟ

  🖋️କବିରତ୍ନ ନୂତନ କୁମାର ବେହେରା

ତୁମ ବିନା ସବୁ ଲାଗେ ଶୂନ୍ୟ ଶୂନ୍ୟ
ଏକାତ୍ମାରୁ ହେଲ ବିଚ୍ଛିନ୍ନ ମିଳେ ନାହିଁ ପୁଣ୍ୟ
ଭାବିଥିଲି ତୁମେ ମୋ ପାଇଁ ସଦା ବରେଣ୍ୟ
ଦେଉଥିଲି ତ ହୃଦୟରୁ ଯଥାମାନ୍ୟ
ବୁଝିଲନି ମୋ ପ୍ରେମକୁ ଭାବିଲ ସାମାନ୍ୟ
ଭଲ ପାଇବା ଭୁଲିଲ ହେଲି ମୁଁ ତୁମର ଘୃଣ୍ୟ
ଫୁଲରୁ ବାସନା ଜହ୍ନରୁ ଜୋଛନା ହେଲେ ଭିନ୍ନ
ରହେ କି ତାଙ୍କର ଆଉ ଗୁଣାତ୍ମକ ମାନ
ସଂଗୀତର ମୂର୍ଚ୍ଛନା… ଅଙ୍ଗ ବିନା ଗହଣା
ସବୁ ନିରର୍ଥକ ହୁଏ କେବଳ ଏକ ପ୍ରବଞ୍ଚନା
ସ୍ରୋତ ବିନା ବହି ଯାଇ ପାରେନା ଝରଣା
ହସ ଖୁସି ଆନନ୍ଦ ବିନା ଘର ଅଗଣା
ମାନେ କିଛି ନାହିଁ ସେ ତ ଜୀବନର ବିଡ଼ମ୍ବନା
ହଜିଯାଏ ସମ୍ଭାବନା ହୁଏ ତା’ ନଗଣ୍ୟ
ତୁମ ବିନା ସବୁ ଲାଗେ ଶୂନ୍ୟ ଶୂନ୍ୟ
ପ୍ରାଣ ବିନା ପିଣ୍ଡ …ବିଶ୍ଵ ବ୍ରହ୍ମାଣ୍ଡରେ ନ୍ୟୂନ
ଜଳ ବିନା ସ୍ଥଳ ସବୁଜିମାରେ ହୁଏ ନାହିଁ ପୂର୍ଣ୍ଣ
ତୁମେ ଥିଲ ମୋ ଆଶା ସ୍ବପ୍ନ ହେଉଥିଲ ପ୍ରେରଣା
କରିଥିଲି ଭରସା ଘୁଞ୍ଚାଇବ ମୋର ଯନ୍ତ୍ରଣା
ଏ ଜୀବନେ ନିଜକୁ ମଣିବି ମୁଁ ଧନ୍ୟ
ଦୃଢ଼ ବିଶ୍ବାସ ଭାଙ୍ଗିଯାଏ ବଶ କରେ ଦୈନ୍ୟ
ବନ୍ଦ ହୁଏ ନିଃଶ୍ବାସ ପ୍ରଶ୍ବାସ ହୃଦୟର ସ୍ପନ୍ଦନ
ପ୍ରତୀକ୍ଷା କରିଥିଲି ତୁମେ ହେବ ମୋର ଜୀବନ
ଦେଲନାହିଁ ଧ୍ୟାନ ଚାଲିଗଲ କରି ପ୍ରତ୍ୟାଖ୍ୟାନ
ବଞ୍ଚିବା ମରିବା ଲାଗେ ମୋତେ ସମାନ
ତୁମ ଫେରିବାର ପାଦଶବ୍ଦ ଶୁଣି ପାରୁନି କାନ
ସନ୍ତାପେ ମୋ ନୟନ କରେ ଅଶ୍ରୁ ବିସର୍ଜନ
ପ୍ରେମ ବିନା ସାରା ଭୁବନ ଲାଗୁଛି ଏକ ଶ୍ମଶାନ
ଏଠି ଶୁଣେ ନାହିଁ କେହି ଅରଣ୍ୟ ରୋଦନ
ଏକା ରହି ତୁମ ବିନା ସବୁ ଲାଗେ ଶୂନ୍ୟ ଶୂନ୍ୟ।

    କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *