ବିଶ୍ଵ ବହି ଦିବସ

           ବହି

🖊️କବିରତ୍ନ ନୂତନ କୁମାର ବେହେରା

ବହନ କରିଥିବାରୁ ମାନବର କଥା ଜୀବନର ଗାଥା
ନାମ ତାର ” ବହି ” ଦୂର କରେ ଅନ୍ତରର ବ୍ୟଥା
ସାମାଜିକ ଚଳଣି ଐତିହ୍ୟ ସଂସ୍କୃତି ପରମ୍ପରା
ପ୍ରତି ପ୍ରାଣର ନୀରବ ପରିଭାଷା ଯେ ଅପାସୋରା
ସୃଷ୍ଟିର ଆବାହନ କାଳରୁ ଚାଲିଛି ବହି ଲେଖା
ଚାଲିଥିବ ତାର ଏ ଅବ୍ୟାହତ ଧାରା ଦେବାକୁ ଶିକ୍ଷା
ବେଦ ବେଦାନ୍ତରୁ ରାମାୟଣ ମହାଭାରତ ଗୀତା
ସାହିତ୍ୟର ସୃଷ୍ଟିରେ ହୋଇ ରହିବ ପରାମର୍ଶଦାତା
ଅଷ୍ଟାଦଶ ପୁରାଣ ଇତିହାସ କିମ୍ବଦନ୍ତୀ କ୍ଷୁଦ୍ରଗଳ୍ପ
କାବ୍ୟ କବିତା ନାଟକ ପ୍ରବନ୍ଧ ଆଦିର ଏ କଳ୍ପ
ଅନୁଭୂତି ଅଭିଜ୍ଞତାର ଅନୁଶୀଳନରେ ଦିଅଇ ବାର୍ତ୍ତା
କବି ଲେଖକ ବହିର ସ୍ରଷ୍ଟା ରୂପରେ ହୁଏ କର୍ତ୍ତା
ଜୀବନର ବିକାଶ ପ୍ରକାଶ ନିମନ୍ତେ ଲୋଡ଼ା ଜ୍ଞାନ
ମନର ଅସରନ୍ତି ଜିଜ୍ଞାସା ଭାବ ବହି କରଇ ପୂରଣ
ଷଡ଼ ଦର୍ଶନକୁ ନେଇ ନବ ରସେ ହୁଏ ରଚନା
ପାଠକମାନଙ୍କ ହୃଦୟରେ ଭରି ଦିଅଇ ଚେତନା
ପ୍ରଗତିର ଲାଗି ନେଇ ଆସେ ନୂଆ ନୂଆ ସମ୍ଭାବନା
ମନ ମନ୍ଥନରେ ମାନବ ପାଇଥାଏ ତାର ସୂଚନା
ସାଂଖ୍ୟ ଯୋଗ ନ୍ୟାୟ ବୈଶେଷିକ ମୀମାଂସା ବେଦାନ୍ତ
ଏ ଷଡ଼ ଦର୍ଶନର ଦେଇଥାଏ ସରଳ ପ୍ରାଞ୍ଜଳ ସିଦ୍ଧାନ୍ତ
ଆଧାରରେ ତା ମାନବ ଜାତିର ହୁଏ କ୍ରମବିକାଶ
ଅଭିନବ ଚିନ୍ତା ଚିନ୍ତନର କେବେ ହୁଏ ନାହିଁ ଶେଷ
ରଚନା ହୁଅଇ ଭାଗ ଉପଭାଗରେ କରି ବିଭକ୍ତ
ବହି ପ୍ରେରଣାର ଉତ୍ସ ହୋଇ ଜାତିକୁ କରେ ସଶକ୍ତ
ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ଯାଏଁ ଅଧ୍ୟୟନେ
ତାର ବିଶେଷ ମହତ୍ତ୍ଵ ଗୁରୁତ୍ବ ରହେ ସମ୍ପାଦନେ
ଉଦ୍ଭାବନା ଆବିଷ୍କାର ଗବେଷଣାର ମାର୍ଗ ଦର୍ଶକ
 ଅଜ୍ଞାନ ଅନ୍ଧାର ନାଶି ପ୍ରକାଶେ ଜ୍ଞାନର ଆଲୋକ
ଜୀବନ ତମାମ ବହିର ଲବ୍ଧଜ୍ଞାନ ହୁଏ ଉପାଦେୟ
ସ୍ଵାଧ୍ୟାୟରେ ପଠକେ ଜୟ କରିଥାନ୍ତି ହୃଦୟ
ବହି ପଠନର ବ୍ୟତିରେକ ଜଣେ ହୁଏ ନାହିଁ ବିଜ୍ଞ
ତାର ସୁବିନିଯୋଗେ ପୂର୍ଣ୍ଣାହୁତି ହୁଏ ଜୀବନ ଯଜ୍ଞ
ଆଜି ” ବିଶ୍ବ ବହି ଦିବସ “ରେ ସର୍ବେ ନେବା ଶପଥ
ପଠନରେ ରଖି ଅନୁରାଗ ପୂର୍ଣ୍ଣ କରିବା ମନୋରଥ।

    କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *