ମନର ମୂଳେ ଏ ଜଗତ

        ମନର ମୂଳେ ଏ ଜଗତ
       ( ରାଗ — ଗୁଜ୍ଜରୀ )

  🖊️କବିରତ୍ନ ନୂତନ କୁମାର ବେହେରା

କହଇ ଭାଗବତ ବାଣୀ। ଜ୍ଞାନରେ ସବୁ ହୁଏ ଜାଣି।।
ପାଠକ ପଢ଼ି ଶ୍ରୋତା ଶୁଣି। ହୁଅଇ ସଂସାରେ ଅଗ୍ରଣୀ।।
ଶରୀର ମଧ୍ୟ ରହି ଆତ୍ମା। ଦେଖାଏ ତାହାର ମହିମା।
ଆତ୍ମାର ଅନୁଗାମୀ ମନ। ରଖଇ ପ୍ରାଣୀର ଜୀବନ।।
ଭାବରେ ରହି ସେ ଏ ଭବେ। ହୃଦୟେ ଚିନ୍ତି ଅନୁଭବେ।।
ନେତ୍ରରେ ଦେଖେ ଯେଉଁ ଦୃଶ୍ୟ। ବୁଝଇ ତାହାର ରହସ୍ୟ।।
ବିଚାରି ତାର ସତ୍ୟାସତ୍ୟ। ହୁଅଇ ତା’ରେ ଆକର୍ଷିତ।।
ବିବେକେ ଭାବି ହିତାହିତ। କରଇ ହୁଏ ଯା’ ଉଚିତ ।।
ମନକୁ କରି ଧୀର ସ୍ଥିର। ଉପାୟ କରେ ସେ ବାହାର।।
ସଂକଳ୍ପେ ରଖି ଏକ ଲକ୍ଷ୍ୟ। କୌଶଳେ ସାଧି ହୁଏ ଦକ୍ଷ।।
ମନର ବିଚାରେ ସାଧକ। ନିଜେ ସେ ନିଜର ରକ୍ଷକ।
କର୍ମରେ ରହିଥିଲେ ରତ। ଇଚ୍ଛାରୁ ଫଳ ହୁଏ ପ୍ରାପ୍ତ।।
ମନର ମୂଳେ ଏ ଜଗତ। ତା’ ବଳେ ହୁଏ ପ୍ରତିଷ୍ଠିତ।।
ଜୀବନ ଗଢ଼ି ସେ ତାହାର। କରଇ ସରସ ସୁନ୍ଦର।।
ସତ୍ୟର ପଥେ କରେ ଜୟ। ମିଛରେ ‌‌ହୁଏ ପରାଜୟ।।
ଅଜ୍ଞାନେ ରହେ ଯଦି ମନ। ହୁଅଇ ଇନ୍ଦ୍ରିୟ ଅଧୀନ।।
କରି ସେ ଅଶେଷ କାମନା। ହଜାଇ ଦିଏ ଚେତନା।।
ମାୟାର ମୋହେ ହୋଇ ବଶ। କରଇ ନିଜର ବିନାଶ।।
ସଂସାରେ ହୁଏ ସ୍ଵାର୍ଥପର। ସବୁକୁ ଭାବେ ତା’ ନିଜର।।
ଦେଖେନା କାହା’ ସୁଖ ଶିରୀ। ଅନ୍ୟର ହୁଅଇ ବଇରୀ।।
ଆତ୍ମୀୟ ଜନେ କରି ପର। ହୁଅଇ ତାଙ୍କଠାରୁ ଦୂର।।
ଦେଖି ସେ ନିଜର ସୁବିଧା। ଅନ୍ୟକୁ ସଦା ଦିଏ ବାଧା।।
ବୁଝେନା ପାପ ପୁଣ୍ୟ କିଛି। ନିଜର ସ୍ଵାର୍ଥ ନିଏ ବାଛି।।
ହୁଅଇ ହିଂସ୍ର କ୍ରୂର ଦୁଷ୍ଟ। କରଇ ସମାଜେ ଅନିଷ୍ଟ।।
ପାଷାଣ କରି ତା’ ହୃଦୟ। ହୁଏ ସେ ସବୁରି ଅପ୍ରିୟ।
ଅନ୍ୟର କରେ ଯେତେ କ୍ଷତି। ବଢ଼ଇ ତାହାର ବିପତ୍ତି।।
ଛାଡ଼େନା ସମ୍ପତ୍ତିର ମୋହ। ଛାତିରେ ଭରିଥାଏ କୋହ।।
ପାଇଲେ ମଧ୍ୟ ନାନା ଦଣ୍ଡ। ଶକତି ଦେଖାଏ ପ୍ରଚଣ୍ତ।।
ଗର୍ବରେ କରେ ଅହଂକାର। ହୁଅଇ କଠୋର ନିଷ୍ଠୁର।।
ଚାଲଇ ଆପଣାର ପଣେ। ଧରାକୁ ସରା ପ୍ରାୟେ ମଣେ।।
ରହେନା ସ୍ଥିର ହୋଇ କ୍ଷଣେ। ନିଜକୁ ଶ୍ରେଷ୍ଠ ବୋଲି ଗଣେ।।
ସତ୍ୟରେ ହୁଅଇ ସେ ଦେବ। ମିଛରେ ସାଜଇ ଦାନବ।।
ତା’ମନ ହେଲେ ସତ୍ୟାଶ୍ରୟୀ। ରୁହଇ ପୁଣ୍ୟଫଳ ପାଇ।।
ମନକୁ କରି ନିୟନ୍ତ୍ରଣ। କଇଇ ସତ୍ୟ ଆଚରଣ।।
ବିବେକେ ଚାଲେ ଯେ ମଣିଷ। ହୁଏ ତା’ ଆତ୍ମାର ବିକାଶ।।
ହୁଅଇ ଯେବେ ଅବିବେକୀ। ରୁହଇ ନିଃସଙ୍ଗେ ଏକାକୀ।
କରେ ଯା’ ଭଲ ଅବା ମନ୍ଦ। ତା’ମନ ହିଁ କରେ ପସନ୍ଦ।।
ମନର ବଳେ କରେ ସବୁ। ତା’ ବିନା ନାହିଁ କେହି ଆଉ।।
କାର୍ଯ୍ୟର କାରଣେ ବନ୍ଧନ।। ପାଳନେ ହୁଅଇ ସ୍ଵାଧୀନ।।
ଏକାଗ୍ରତାରେ ରହେ ଧ୍ୟାନ। ବିକ୍ଷିପ୍ତେ ହୁଅଇ ବିଚ୍ଛିନ୍ନ।।
ମନର ମୂଳେ ଏ ଜଗତ। ଥାଇ କରାଏ କାର୍ଯ୍ୟରତ।।
ଆତ୍ମାରେ ମନର ମିଳନ। ହୋଇଲେ ମିଳେ ଆତ୍ମଜ୍ଞାନ।।
ଜ୍ଞାନର ପ୍ରୟୋଗ ଯେମିତି। ତା’ ଫଳ ଲଭଇ ସେମିତି।।
ଅଜ୍ଞାନେ ପାଏନା ମୁକତି। ଶେଷରେ ହୁଏ ତାର ଇତି।।
ରଖିଲେ ମନ ଆତ୍ମା ଶୁଦ୍ଧ। ଜୀବନ ହୁଅଇ ସମୃଦ୍ଧ।।

          କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
     

Leave a Reply

Your email address will not be published. Required fields are marked *