ଉତ୍କଳ ଗୌରବ ମଧୁବାବୁ
ଉତ୍କଳ ଗୌରବ ମଧୁବାବୁ
✍️କବିରତ୍ନ ନୂତନ କୁମାର ବେହେରା
ମଧୁ ବାରିଷ୍ଟର ନାମେ ବିଖ୍ୟାତ
ଉତ୍କଳର ସୁଯୋଗ୍ୟତମ ସୁତ,
ଏ ଓଡିଶା ମାଟିରେ ହୋଇ ଜାତ
ରଖିଛନ୍ତି ସେ ଜାତିର ମହତ।
ଶିକ୍ଷା ଦୀକ୍ଷା ପଦବୀରେ ପ୍ରଥମ
ଅଶେଷ ତାଙ୍କର ଯଶ ସୁନାମ,
ମହେନ୍ଦ୍ର ବେଳାରେ ହୋଇ ଜନମ
ପୂଜ୍ୟ ହୋଇଛନ୍ତି ନିକଟେ ଆମ।
ବିଚକ୍ଷଣ ବୁଦ୍ଧି ବିଦ୍ଯା ସମ୍ପର୍ଣ୍ଣ
ମନୋବାଞ୍ଛା କରିଛନ୍ତି ସଂପୂର୍ଣ୍ଣ,
ଜାତିର ମାନ ରଖି ସେ ଅକ୍ଷୁର୍ଣ୍ଣ
ଶୀର୍ଷ ସ୍ଥାନେ ହୋଇଛନ୍ତି ଉତ୍ତୀର୍ଣ୍ଣ।
ଗଢିବାକୁ ସେ ସ୍ଵତନ୍ତ୍ର ଉତ୍କଳ
ଜାଗରଣେ କଲେ ଭାବ ବିହ୍ବଳ,
ଓଡ଼ିଆ ମନେ ପ୍ରାଣେ ପାଇ ବଳ
ପ୍ରେମେ ଉଦବୁଦ୍ଧ ହେଲେ ସକଳ।
ଏକତାର ମନ୍ତ୍ରେ କରି ଦୀକ୍ଷିତ
ଜାତି ସମୂହକୁ କଲେ ଜାଗ୍ରତ,
ପ୍ରେରଣାରେ ହୋଇ ଅନୁପ୍ରେରିତ
ସ୍ବତନ୍ତ୍ର ଉତ୍କଳ କଲେ ଗଠିତ।
ଉତ୍କଳ ଟେନେରୀ ପ୍ରତିଷ୍ଠା କରି
ବଢାଇଲେ ସେ ଜୋତା କାରିଗରୀ,
ସୁନା ରୂପା ତାରକସି ସୁଧାରି
ସୁନ୍ଦର ଅଳଙ୍କାର କଲେ ତିଆରି।
କାରିଗରଙ୍କୁ ଯୋଗାଇଲେ କାମ
ଦେଶେ ବିଦେଶେ ବଢାଇଲେ ନାମ,
ଉତ୍କଳର ଯଶ ଆଣି ଅସୀମ
ଏ ଜାତିକୁ କଲେ ସେ ଅନ୍ୟତମ।
ଲଢି ଲଢି ଆଇନ୍ ଅଦାଲତେ
ସେ ମକର୍ଦ୍ଦମା ରଫା କଲେ କେତେ,
ନିରୀହଙ୍କୁ ସେ ନ୍ୟାୟ ଦେଲେ ଯେତେ
ଜଟିଳ ସମସ୍ୟାକୁ ନେଇ ହାତେ।
ସେବା ତ୍ୟାଗର ହୋଇ ଅଗ୍ରଦୂତ
ରାଜନୀତି କ୍ଷେତ୍ରେ ହେଲେ ବିଖ୍ୟାତ,
ଜାତିର କାମକରି ଅବିରତ
ଏ ରାଜ୍ୟ ମାନକୁ କଲେ ଉନ୍ନତ।
ଜାତି କର୍ଣ୍ଣଧାର ସେ କୁଳବୁଦ୍ଧ
ଉତ୍କଳର ଗୌରବ ସତସିଦ୍ଧ,
ତାଙ୍କ ଅବଦାନେ ଜାତି ସମୃଦ୍ଧ
ସାରା ଦେଶେ ହୋଇଅଛି ପ୍ରସିଦ୍ଧ।
ତାଙ୍କ ଜୟନ୍ତୀରେ ଢାଳେ ପ୍ରଣତି
ତାଙ୍କୁ କେବେ ବି ନ ଭୁଲୁ ଏ ଜାତି,
ପାଳିଲେ ତାଙ୍କର ଆଦର୍ଶ ନୀତି
ସମଗ୍ର ଦେଶର ହେବ ପ୍ରଗତି।
କୋହି,ବାରିପଦା,ମୟୂରଭଞ୍ଜ।
