ଉତ୍କଳ ଗୌରବ ମଧୁସୂଦନ
ଉତ୍କଳ ଗୌରବ ମଧୁସୂଦନ
ରଞ୍ଜୁଲତା ପାଢୀ।
&&&&&&&&&&&&&&&&&
ତୁମେ ଉତ୍କଳ ଗୌରବ
ତୁମେ ଉତ୍କଳ ସୌରଭ
ପୁଣ୍ୟ ଉତ୍କଳ ଆକାଶେ ହୀରକ ସମ
ପିତା ତବ ରଘୁନାଥ
ପାର୍ବତୀ ଦେବୀ ଯେ ମାତ
ମୁକ୍ତି ସଂଗ୍ରାମ ପୁରୋଧା ମହାମହିମ
ଅଠରଶ ଅଡଚାଳିଶ
ଅପ୍ରେଲ ଅଠେଇଶ ରେ ଜନ୍ମ ଦିବସ।
ଶତାବ୍ଦୀର ଅଂଶୁମାନ
ଧନ୍ୟ ତୁମେ ଧନ୍ୟ ଧନ୍ୟ
ପ୍ରଥମ ସ୍ନାତକୋତ୍ତର ଉତ୍କଳ ଭୂମେ
ପ୍ରଥମ ବିଲାତଯାତ୍ରୀ
ସର୍ବତ୍ର ପ୍ରଥମ କୀର୍ତ୍ତି
ଏ ମାତୃଭୂମି ତୁମର ପଦେ ପ୍ରଣମେ
ଦେଶମାତୃକା କର୍ଣ୍ଣଧାର
ପବିତ୍ର ଜାହ୍ନବୀ ସମ ଏ ଉତ୍କଳର।
ଭାଷା ଆନ୍ଦୋଳନ ମୁଖ୍ୟ
ବରିଷ୍ଠ କବି, ଲେଖକ
ବିଛିନ୍ନାଞ୍ଚଳ ଏକତ୍ରୀକରଣପାଇଁ
ସାରାଜୀବନ ସଂଗ୍ରାମ
ନିଃସ୍ୱାର୍ଥ ଇଛା ,ଉଦ୍ୟମ
ସ୍ୱତନ୍ତ୍ର କରିଲ ରାଜ୍ୟ ଉତ୍କଳ ଭୂଇଁ
ଅପ୍ରେଲ ଏକ ତାରିଖରେ
ଉନ୍ନବିଂଶ ଷଟତ୍ରିଂଶ ର ମସିହାରେ।
ଉତ୍କଳ ଟ୍ୟାନେରୀ କରି
ଯୋଗାଇଦେଲ ଚାକିରୀ
ଚମଡାଶିଳ୍ପ ଉଦ୍ୟୋଗ ବିକାଶ ଅର୍ଥେ
ତାରକସି କାମପାଇଁ
କଟକ ଯେ ଧନ୍ୟହୋଇ
ଆର୍ଟ ୱାର୍କସ ପ୍ରତିଷ୍ଠାତା ତୁମେ ଯଥାର୍ଥେ
କୀର୍ତ୍ତିରାଜି, ପାଠ୍ୟପୁସ୍ତକେ,
ଅଧ୍ୟୟନେ, ଛାତ୍ର ତବ ମହତ୍ତ୍ୱ ରଖେ।
ଦାରିଦ୍ର୍ୟର କଷାଘାତ
ନ କରିଥିଲା ବ୍ୟଥିତ
ପତ୍ନୀବିୟୋଗ ଦୁଃଖରେ ନହେଲ ଦୁଃଖି
ଉଚ୍ଚ ଶିକ୍ଷାର ଦାୟରେ
ଖ୍ରୀଷ୍ଟଧର୍ମ ଗ୍ରହଣରେ
ପରିବାରଠୁ ରହିଲ ଦୂରତ୍ୱ ରଖି
ଅନେକ ଯେ ପରିହାସର
ସାମନା କରି ଲଢିଲ ହେ ଜାତିବୀର।
ଶ୍ରୀମନ୍ଦିର ବିବାଦରେ
ଜଟିଳ ମୋକଦ୍ଦମାରେ
ନିଜ ଦକ୍ଷତାର ପରିଚୟକୁ ଦେଇ
ବିନା ପାରିଶ୍ରମିକରେ
ଗଜପତି ସପକ୍ଷରେ
ବଳିଷ୍ଠଯୁକ୍ତି ମାଧ୍ୟମେ ଜିତିଲ ତହିଁ
ଠାକୁର ରାଜାଙ୍କ ହାତରେ
ପୁନ୍ନର୍ବାର ସମର୍ପଣ ପ୍ରାପ୍ୟ ଅଚିରେ।
ସାରା ଜୀବନ ଜାତିର
ସ୍ୱପ୍ନ ଦେଖୁଥିଲ ବୀର
ସ୍ୱାର୍ଥପରତାକୁ ଘୃଣା ମନ ମଧ୍ୟରେ
ସ୍ୱାଭିମାନ, ସ୍ୱାଧୀନତା,
ଆତ୍ମ ନିର୍ଭରଶୀଳତା
ସୁରକ୍ଷା ପାଇଁ ଉତ୍ସର୍ଗ ପରାଣ ଯା’ରେ
ତମାମ ଜୀବନର ଶକ୍ତି
ଅର୍ଥ ସାମର୍ଥ୍ୟ ଓ ଅନୁଭବର ଭକ୍ତି।
ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା
ବିଚକ୍ଷଣ ଚିନ୍ତାଧାରା
ଅନ୍ତହୀନ ଜାତିପ୍ରୀତି ସ୍ୱଦେଶ ପାଇଁ
ଘଡିସନ୍ଧି ମୂହୂର୍ତ୍ତରେ
ପତିତ ଜାତି ଉଦ୍ଧାରେ
କାର୍ଯ୍ୟ କଲ ସ୍ୱଛ ଚିନ୍ତାଧାରାକୁ ନେଇ
ଓଡିଆ ଅସ୍ମିତାର ସୂର୍ଯ୍ୟ
ଉତ୍କଳଗୌରବ ନାମେ ଉପାଧି ପୂଜ୍ୟ।
ଶୈଶବରୁ ଉଚ୍ଚମନ
ସ୍ୱଦେହେ ବହି କଷଣ
ଶ୍ରେଷ୍ଠ ଆଇନଜ୍ଞ ରୂପେ ରଖିଲ ନାମ
ଶିଷ୍ଟ, ମିଷ୍ଟ ଭାଷା କହି
କୋଟି ମନ ନେଲ ମୋହି
ସ୍ୱତନ୍ତ୍ର ପ୍ରଦେଶେ ହେଲ ଚିର ବରେଣ୍ୟ
କାଳଜୟୀ ଲେଖା ମାଧ୍ୟମେ
ପ୍ରତି ହୃଦେ ବହ୍ନି ଜାଳିଲ ଜାତିପ୍ରେମେ।
ତ୍ରାଣକର୍ତ୍ତା ଉତ୍କଳର
ପ୍ରାଣକର୍ତ୍ତା ଉତ୍କଳର
ବଞ୍ଚିଛି ଏ ଜାତି ଆଜି ତୁମରି ପାଇଁ
ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ
ତୁମନାମ କୁଳବୃଦ୍ଧ
ରହିଛି ରହିବ ଚିର ଭାସ୍ୱର ହୋଇ
ମହାଦ୍ରୁମ ହେ ଉତ୍କଳର
ସ୍ୱାଭିମାନ ଦିବସରେ ବନ୍ଦେ ପୟର।।
ରାଉରକେଲା।।ସୁନ୍ଦରଗଡ।।
