ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା

     ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା

   ✍️କବିରତ୍ନ ନୂତନ କୁମାର ବେହେରା

ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା
ସ୍ଵୟଂସିଦ୍ଧ ପୁଣ୍ୟ ତିଥିଟିଏ ହୋଇ
ବସୁଧାବାସୀଙ୍କୁ କର ବାରେ ସୁଦୟା
ତୁମ ଶୁଭ ଆଗମନେ ଉତ୍ସବ ମୁଖର ଧରା
ଏ ଶୁଭ ଲଗନେ ଆରମ୍ଭ ହୋଇଥିଲା
ଦୁଇଟି ଯୁଗ ସତ୍ୟ ଓ ତ୍ରେତୟା
ତୁମେ ବୈଶାଖ ଶୁକ୍ଳ ତୃତୀୟାର ତିଥି
ଦାରୁଣ ନିଦାଘର ଘନଘଟା ମଧ୍ୟେ
ଅବତୀର୍ଣ୍ଣ ହୁଅ ମହତ ଉଦ୍ଦେଶ୍ୟ ରଖି
ପରିପୂର୍ଣ୍ଣେ ଭରିବାକୁ ଏ ପୃଥିବୀ
ଓଡି଼ଆ ପରମ୍ପରା ଐତିହ୍ୟର ପ୍ରତୀକ
କାର୍ଯ୍ୟର ଶୁଭାରମ୍ଭ କରିବାକୁ ଦିଅ ଆହ୍ବାନ
ମନେ ପ୍ରାଣେ ଉତ୍ସାହ ପ୍ରେରଣା ଭରି
କରାଅ ଏ ମାନବ ଜାତିକୁ ଅଗ୍ରଣୀ
ଚାଷ ଅନୁକୂଳର ପ୍ରକୃଷ୍ଟ ମୁହୂର୍ତ୍ତ ବାଛି
ଚାଷୀ ଚାଷ ଆରମ୍ଭେ ଧରି ଅକ୍ଷି ମୁଠି
ପୂଜି ମାଆ ମହାଲକ୍ଷ୍ମୀଙ୍କ ପାଦ ପଦ୍ମ
ଶୁଭ ମନାସଇ ଭକ୍ତିଭାବେ ଏକାଗ୍ର ଚିତ୍ତେ
ଅମଳ କରିବାକୁ ଉନ୍ନତ ଫସଲ
ଖାଦ୍ୟାଭାବ କରି ଦୂର ସାରା ସଂସାରରୁ
ଚାହେଁ ଜଗତ ଜୀବନ ରଖିବାକୁ ଭଲ
ତୁମେ ଅକ୍ଷୟ ହେ ପ୍ରଭୁଙ୍କ ବରଦାନେ
ଶୁଭ ପୁଣ୍ୟ ଦିବସ ରୂପରେ ବିଶେଷ
ସୂଚାଇ ଦିଏ ତାହା ପୁରାଣ ଶାସ୍ତ୍ର ଇତିହାସ
ଏଇ ଲଗ୍ନେ ଗଙ୍ଗା ମାତା ଧରାପୃଷ୍ଠେ
କରିଥିଲେ ଅବତରଣ ଭଗୀରଥଙ୍କ ସ୍ତୁତିରେ
ଜନ୍ମ ଲଭିଥିଲେ ପ୍ରଭୁ ଭଗବାନ ପର୍ଶୁରାମ
ମେଦନୀର ପାପ ଭାରା କରିବାକୁ ଊଣା
ଏକବିଂଶ ବାର କ୍ଷତ୍ରୀୟଙ୍କୁ କରିଥିଲେ ନିଧନ
ଆକୁଳେ ବିକଳେ ଯାଜ୍ଞସେନୀ ପାଞ୍ଚାଳୀ
ପ୍ରାର୍ଥନା କରିଥିଲେ କୁରୁସଭା ସ୍ଥଳେ
କୋଟି ବସ୍ତ୍ର ଦେଇ ପ୍ରଭୁ ଶ୍ରୀକୃଷ୍ଣ
ତାଙ୍କ ଲଜ୍ୟା ନିବାରଣ କରିଥିଲେ ଏଇ ଦିନ
ପୁନଶ୍ଚ ଏ ଦିନେ ଭୟଙ୍କର ବିଭୀଷିକାମୟ
ମହାଭାରତ ଯୁଦ୍ଧ ହୋଇଥିଲା ସମାପନ
ବ୍ରହ୍ମାଙ୍କ ସୁପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମଦିନ
ବଳଭଦ୍ର ଜୀଉ ରେବତୀଙ୍କ ଶୁଭ ପରିଣୟର
ଏ ଅଟେ ମହେନ୍ଦ୍ର ମାଙ୍ଗଳିକ ମୁହୂର୍ତ୍ତ
ଦେବ କୃପାବଳେ କୁବେର ହେଲେ ଧନୀଶ୍ରେଷ୍ଠ
ପାଇ ସର୍ବ ସମ୍ପତ୍ତିର ଅକ୍ଷୟ ଧନଭଣ୍ଡାର
ସବନ୍ଧୁତ୍ଵର ମହାମିଳନ ଘଟିଥିଲା ଏ ଦିନ
ବାଲ୍ୟ ସଖା ସୁଦାମାଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କର
ଅପୂର୍ବ ଅନୁରାଗର ସେ ଆତ୍ମୀୟତା
ଆବିର୍ଭୂତ ହୋଇଥିଲେ ଅନ୍ନପୂର୍ଣ୍ଣା ମାତା
ଲଙ୍ଗଳ କରୁଥିବା ବେଳେ ରାଜର୍ଷି ଜନକ
ଭୂମି ବିଦାରି ବାହାରି ଥିଲେ ମାତା ସୀତା
ଏ ଦିନ ରଥର କାର୍ଯ୍ଯ ହୁଏ ଅନୁକୂଳ
ଆରମ୍ଭ ହୁଏ ପୁଣି ଚନ୍ଦନ ଯାତ
ଏ ଭାବେ ବିଶିଷ୍ଟ ଘଟଣାମାନ ଶତ ଶତ
ରହିଛି ଗାଥା ତାର ଅମର ଅକ୍ଷୟ
ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା
ଆଜିର ଦିନେ ମିନତୀ କରୁଛି ତୁମକୁ
ବିଶ୍ବବାସୀଙ୍କ ଉପରେ ରଖିଥିବ ସୁଦୟା।
ତୁମେ ଅକ୍ଷୟ ହେ ଅକ୍ଷୟ ତୃତୀୟା……

    କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *