ନିଃସଙ୍ଗତା
ନିଃସଙ୍ଗତା
ରଞ୍ଜୁଲତା ପାଢୀ
&&&&&&&&&&&&&
ଭବ ରଙ୍ଗାଳୟେ କେତେ ଅଭିନୟେ
ମାନବର ଲୀଳାଖେଳା
ତମାମ ଜୀବନ ମୋହେ ଧାବମାନ
ମରୀଚିକା ଭ୍ରମ ତୋଳା।
ନିଃସଙ୍ଗତା ଆଜି ପରାଣେ ଆଙ୍କିଛି
ଜ୍ୱାଳା ଶତ ବେଦନାର
ସହି ହୁଏନାହିଁ କହି ହୁଏନାହିଁ
ଅବ୍ୟକ୍ତ ଏ ଜୀବନର।
ଆସିଛି ଯେ ଏକା ଫେରିବ ସେ ଏକା
ଧ୍ରୁବସତ୍ୟ ଯେଉଁ ବାଣୀ
ତଥାପି ଏ କାୟା ଭ୍ରମେ ମୋହ ମାୟା
ବନ୍ଧନ ରଖଇ ଟାଣି।
ସାସାଂରିକ ପ୍ରାଣୀ ପରିଜନ ଘେନି
ବାଟ ଚାଲେ ମିଳିମିଶି
କେହି ତନ୍ମଧ୍ୟରେ ହଜିଗଲେ ଥରେ
ଦୂରେ ଚାଲିଯାଏ ଖୁସି।
ଏକାକୀତ୍ୱ ପଣ ନିଃସଙ୍ଗତା ଜାଣ
ବଞ୍ଚିବା ମୃତ୍ୟୁ ସମାନ
ଭୁକ୍ତ ଭୋଗୀ ଜାଣେ ଏ କ୍ରୁର କଷଣେ
ହୁଏ କେତେ ହୀନିମାନ।
ସବୁରି ଜୀବନେ ନିଃସଙ୍ଗତା ଏକ
ଅଭିଶପ୍ତ ସମ ଜାଣ
ଦରଦୀ ହୃଦର ବୁକୁଫଟା କୋହ
ଭାଙ୍ଗିଦିଏ ଟାଣପଣ।
ସ୍ୱପ୍ନୀଳ ମାୟାର ଗତି ଛାରଖାର
ବୟସ ନଦୀର ତୀରେ
ନିଃସଙ୍ଗତା ଏକ ପଶ୍ଚାତାପ ଛାଇ
ଝୁରୁଥାଏ ବେଦନାରେ।
ମତାନ୍ତର ମନାନ୍ତରେ ଡୁବିରହି
ଦୂରେଇ ନଯାଅ କେହି
ଅଢେଇ ଦିନର ବଡେଇ ରେ ରହି
ନିଃସଙ୍ଗତା ଲୋଡ ନାହିଁ।
ନିଃସଙ୍ଗତା ଆଣେ ଅସହାୟ ପଣ
ଟାଣେ ନୈରାଶ୍ୟର ରେଖା
ଲିଭି ଲିଭି ଆଶେ ଜୀବନ ପ୍ରଦୀପ
ବଳକା ଆୟୁଷ ଶିଖା।।
ରାଉରକେଲା।ସୁନ୍ଦରଗଡ।।
