ବଢ଼ିବାରେ ଲାଗିଛି ଜମିଜମା ବିବାଦ- ଜମି ସଂଶୋଧନ ଆଇନର ଜରୁରୀ ଆବଶ୍ୟକ
ଜଗତସିଂହପୁର ୪/୫ ଜଗତସିଂହପୁର ସମ୍ପ୍ରତି ପ୍ରତି ଗାଁ ଓ ପ୍ରତି ପରିବାରରେ ଜମିବାଡ଼ି ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜମିବାଡ଼ି ବିବାଦକୁ ନେଇ କେସ, କୋର୍ଟ ଓ କଚେରୀରେ ଦରିଦ୍ର ପରିବାର ଠାରୁ ଆରମ୍ଭ କରି ସାମ୍ରାନ୍ତ ପରିବାର ମଧ୍ୟ ଉଣା ଅଧିକେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଏପରିକି କେତେକ ସ୍ତରରେ ଜମି ବିବାଦକୁ ନେଇ ମାରପିଟି ଓ ହତ୍ୟାକାଣ୍ଡ ମଧ୍ୟ ସଂଗଠିତ ହୋଇଛି। ମାତ୍ର ରାଜସ୍ୱ ବିଭାଗ ନିରଵଦ୍ରଷ୍ଟା ସାଜିଛି। ଏଠାରେ ପ୍ରକାଶ ଥାଉକି ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ବ୍ରିଟିଶ ସରକାରଙ୍କ ଦ୍ଵାରା କରାଯାଇଥିବା ଲ୍ୟାଣ୍ଡ ସେଟେଲମେଣ୍ଟେ ପ୍ରଚଳିତ ହୋଇଥିଲା। ତେବେ ବହୁ ବିଳମ୍ବରେ ଅର୍ଥାତ ୧୯୫୦ ମସିହାରେ ଆରମ୍ଭ ହୋଇଥିବା ଜମିଜମା ସଂଶୋଧନ ଆଇନ ୧୯୫୦ରୁ ୧୯୭୨ ମସିହା ୨୨ ବର୍ଷ ଧରି ଚାଲୁ ରହିଥିଲା। ଏହି ଆଇନ ବଳରେ ଜମିଜମା ସଂଶୋଧନ ସଠିକ ଭାବେ ମଧ୍ୟ କରାଯାଇ ନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୩ ମସିହାରେ ଓଡିଶା ସରକାର ଚକବନ୍ଦୀ ଆଇନ ପ୍ରଚଳନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅର୍ଥାତ ୨୦୨୫ ପର୍ଯ୍ୟନ୍ତ ଚୂଡାନ୍ତ ରୂପରେଖ ପ୍ରକାଶ ପାଇନାହିଁ। ଏଭଳି ସ୍ଥିତିରେ ଜମିଜମା ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ପିଢ଼ି ପିଢ଼ି ଧରି ଜନ ସାଧାରଣ ଜମିଜମା ସଂଶୋଧନ ଆଇନ ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ଅକଥନୀୟ ଯନ୍ତ୍ରଣାରେ ପଡୁଛନ୍ତି। ଏପରିକି ଜିଲ୍ଲାର ସୀମା ସରହଦି, ସରକାରୀ ଜମି, ଜଙ୍ଗଲ ଜମି ଇତ୍ୟାଦି ସଠିକ ଭାବେ ଚିହ୍ନଟ ହୋଇପାରିନାହିଁ। ଏଭଳି ସ୍ଥିତିରେ ଆଉ ଏକ ନିର୍ଭୁଲ ଜମିଜମା ଆଇନ ପ୍ରଣୟନର ଆବଶ୍ୟକତା ରହିଛି। ଓଡିଶା ସରକାର ଏ ବିଷୟରେ ଚିନ୍ତା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
