ଷଡ଼ ଦର୍ଶନ
ଷଡ଼ ଦର୍ଶନ
🖊️କବିରତ୍ନ ନୂତନ କୁମାର ବେହେରା
ଦର୍ଶନ
( ରାଗ — କଳହଂସ କେଦାର )
ସଂସାରେ ମାନବ ଧରି ତା’ ଜୀବନ
ସୁଖେ କାଟିବାକୁ ଚାହେଁ ସବୁଦିନ ଯେ,
ସୁରକ୍ଷିତ କରେ ତାକୁ ତାର ଜ୍ଞାନ
ସୂକ୍ଷ୍ମ ବିଚାରର ଭାବ ହିଁ ଦର୍ଶନ ଯେ।
ପ୍ରଜ୍ଞ ମୁନିଗଣ ସେ ନାମକରଣ
କରିଛନ୍ତି ଛଅ ତା’ ଷଡ଼ ଦର୍ଶନ ଯେ,
ଜ୍ଞାନେ ସାଂଖ୍ୟ,ଯୋଗ,ନ୍ୟାୟ,ବୈଶେଷିକ,
ମୀମାଂସା,ବେଦାନ୍ତ,ପଥ ପ୍ରଦର୍ଶକ ଯେ।
ସୃଷ୍ଟି ସ୍ଥିତି ଗତି ଜୀବନ ଧାରଣେ
ମାନବ ଚାଲଇ ଭବେ ସେଇ ଜ୍ଞାନେ ଯେ,
ଦର୍ଶନ ବ୍ୟତୀତ ଜୀବନ ବ୍ୟଥିତ,
ମାର୍ଗ ଭୁଲି ହୁଏ ସୁଖରୁ ବଞ୍ଚିତ ଯେ।
( ୧ ) ସାଂଖ୍ୟ
କପିଳ ମୁନିଙ୍କ ଦ୍ଵାରା ଏ ରଚିତ
ସାଂଖ୍ୟ ଦର୍ଶନରେ ହୁଏ ତା’ ଗୃହୀତ ଯେ,
ହିନ୍ଦୁ ଧର୍ମ ନୀତି ଜ୍ଞାନ ସାର ତତ୍ତ୍ଵ
ଏ ଦର୍ଶନେ ସବୁ ହୋଇଛି ବର୍ଣ୍ଣିତ ଯେ।
ସମ୍ୟକ୍ ଜ୍ଞାନର ପ୍ରାପ୍ତିରେ ସାଧକ
ଜୀବନକୁ ତାର କରଇ ସାର୍ଥକ ଯେ,
ଅଜ୍ଞାନକୁ ନାଶି ଜ୍ଞାନର ଆଲୋକ
ପଥେ ଚାଲି ହୁଏ ସାହସୀ ନିର୍ଭୀକ ଯେ।
( ୨ ) ଯୋଗ
ପାତଞ୍ଜଳି ମୁନି ସିଦ୍ଧ ବିଜ୍ଞ ଜ୍ଞାନୀ
ଯୋଗ ଶାସ୍ତ୍ର ରଚି ଦେଇଛନ୍ତି ବାଣୀ ଯେ,
ଆତ୍ମା ପରମାତ୍ମା ବ୍ରହ୍ମ ଶକ୍ତି ଜାଣି
ତା’ ଧ୍ୟାନରେ ରହି ମୋକ୍ଷ ପାଏ ପ୍ରାଣୀ ଯେ।
ଅଷ୍ଟାଙ୍ଗ ଯୋଗ ତା’ ଗୁଣରେ ସୁଷମ
ଯମ,ନିୟମ,ଆସନ,ପ୍ରାଣାୟମ, ଯେ,
ପ୍ରତ୍ୟାହାର,ଧ୍ୟାନ,ଧାରଣା,ସମାଧି
ସାଧୁ ରହିଥାଏ ମୁକ୍ତ ଯୋଗ ସାଧି ଯେ।
( ୩ ) ନ୍ୟାୟ
ଗୌତମ ମୁନିଙ୍କ ରଚିତ ଯେ ନ୍ୟାୟ
ଯଥାର୍ଥ ବିଚାରେ କରାଏ ନିର୍ଭୟ ଯେ,
ପ୍ରକୃତ ସତ୍ୟର କରେ ଉଦ୍ଘାଟନ
ଈଶ୍ଵର,ଜଗତ,ଜୀବର ପ୍ରମାଣ ଯେ।
ପଞ୍ଚାଙ୍ଗବିଶିଷ୍ଟ ଏ ନ୍ୟାୟ ଦର୍ଶନ
ତାହା ପ୍ରତିଜ୍ଞା,ହେତୁ,ଉଦାହରଣ ଯେ,
ସଙ୍ଗେ ତାର ଉପନୟ,ନିଗମନ
ଦୃଷ୍ଟାନ୍ତ ପ୍ରଦାନେ କରେ ସମାଧାନ ଯେ।
( ୪ ) ବୈଶେଷିକ
କଣାଦ ମୁନିଙ୍କ ଏ ଦର୍ଶନ ଶାସ୍ତ୍ର
ବିଶେଷ ଗୁଣରେ ହୋଇଛି ସ୍ବତନ୍ତ୍ର ଯେ,
ପରୀକ୍ଷା ପ୍ରବୃତ୍ତ ଦ୍ରବ୍ୟେ ବିଶେଷତା
ଆଣି ଦେଇଥାଏ କର୍ମେ ସାର୍ଥକତା ଯେ।
ନଅଟି ପଦାର୍ଥ କ୍ଷିତି,ଅପ୍,ତେଜଃ
ବାୟୁ,ବ୍ୟୋମ,କାଳ,ଦିକ୍,ଆତ୍ମା,ମନଃ ଯେ,
ଦ୍ରବ୍ୟ,ଗୁଣ,କର୍ମ,ସାମାନ୍ୟ,ବିଶେଷ୍ୟ,
ସମବାୟ,ଅଭାବରେ ଦୃଶ୍ୟ ଅଦୃଶ୍ୟ ଯେ।
( ୫ ) ମୀମାଂସା
ଜୈମିନି ମୁନିଙ୍କ ମୀମାଂସା ଦର୍ଶନ
ସମସ୍ୟା ପ୍ରଶ୍ନର କରେ ସମାଧାନ ଯେ,
ତତ୍ତ୍ଵାନୁସନ୍ଧାନେ ମିଳଇ ସିଦ୍ଧାନ୍ତ
ସୃଷ୍ଟି ସ୍ଥିତି ମଧ୍ୟେ ଜୀବ ରହେ ଶାନ୍ତ ଯେ।
ଏ ପୂର୍ବ ମୀମାଂସା ନାମେ ଅଭିହିତ
ବେଦର କର୍ମକାଣ୍ଡ ଅଛି ବର୍ଣ୍ଣିତ ଯେ,
ବେଦ ବିହିତ ଜ୍ଞାନର କର୍ମକାଣ୍ଡ
ବୁଦ୍ଧି ବିଚାରକୁ ରଖଇ ଅଖଣ୍ଡ ଯେ।
( ୬ ) ବେଦାନ୍ତ
ବ୍ୟାସଦେବଙ୍କ ପ୍ରଣୀତ ଦର୍ଶନ ଶାସ୍ତ୍ର
ବେଦାନ୍ତ ନାମରେ ଏ ଜ୍ଞାନର ଅସ୍ତ୍ର ଯେ,
ଉତ୍ତର ମୀମାଂସା ଆଉ ଏକ ନାମ
ଅଦ୍ଵୈତବାଦରେ କହେ ଏକ ବ୍ରହ୍ମ ଯେ।
ବେଦାନ୍ତ ଦିଅଇ ଅକାଟ୍ୟ ସିଦ୍ଧାନ୍ତ
‘ ଅହଂ ବ୍ରହ୍ମାସ୍ମି ‘ ର ସ୍ଵରୂପ ଅନନ୍ତ ଯେ,
ଏ ପ୍ରପଞ୍ଚ ଜଗତ ଅଟଇ ମିଥ୍ୟା
ସତ୍ୟେ ଆତ୍ମା ବ୍ରହ୍ମେ ଲୀନ ହୁଏ ଯଥା ଯେ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
