ଜାତୀୟ ସମ୍ମିଳନୀ ଡଟକନ୍‌-୨୦୨୫ ଉଦ୍‌ଯାପିତ

ବ୍ରହ୍ମପୁର, ୧୧/୫ : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏଣ୍ଡୋକ୍ରିନୋଲୋଜି ବିଭାଗ ଓ ଡିଓଟିଏଏର ମିଳିତ ସହଯୋଗରେ ଚାଲିଥିବା ଜାତୀୟ ସମ୍ମିଳନୀ ଡଟକନ୍‌-୨୦୨୫ ଆଜି ଉଦ୍‌ଯାପିତ ହୋଇଯାଇଛି। ଏମ୍‌କେସିଜି ମେଡିକାଲ କଲେଜ ଏଣ୍ଡୋକ୍ରିନୋଲାଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀ‌ର ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ଡା. ପି. ରବି କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଭୁବନେଶ୍ବରର ପ୍ରଫେସର ଭରତ ପାଣିଗ୍ରାହୀ, କଟକ ଏସ୍‌ସିବି ଏଣ୍ଡୋକ୍ରିନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଏସ୍‌.ଆର୍‌ ପଟ୍ଟନାୟକ, ପ୍ରଫେସର ରବି ଶତପଥୀ, ପ୍ରଫେସର କେ.ଟି ସୁବୁଦ୍ଧି ଯୋଗ ଦେଇଥିଲେ। ମଧୁମେହ, ଗଳଗଣ୍ଡକ ଓ ମେଦବହୁଳତା ରୋଗର ବିଭିନ୍ନ ଦିଗ ଉପରେ ଅତିଥିମାନେ ମତ ରଖିଥିଲେ। ଡାକ୍ତରୀ ବିଜ୍ଞାନର ନୂତନ ଜ୍ଞାନ କୌଶଳରେ କ’ଣ ସବୁ ଅତ୍ୟାଧୁନିକ ଚିକିତ୍ସାସେବା ଉପଲବ୍ଧ ରହିଛି, ସେ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଏମ୍‌କେସିଜି ମେଡିକାଲ କଲେଜ ନୂତନ ଅଡିଟୋରିୟମ ପରିସରରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ଶହ ଡାକ୍ତର ଯୋଗ ଦେଇଥିଲେ। ସମ୍ମିଳନୀର ସାଙ୍ଗଠନିକ ସମ୍ପାଦକ ଡା. ଦୀପକ କୁମାର ଦାଶ, ଡା. ଦେବାଶିଷ ପାତ୍ର, ଡା. ଜୀବନ ପ୍ରଧାନ ପ୍ରମୁୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *