ଏଇ ଜୀବନଟା ଗୋଟେ ବୁଝାମଣା
ଏଇ ଜୀବନଟା ଗୋଟେ ବୁଝାମଣା…୨
🖊️କବିରତ୍ନ ନୂତନ କୁମାର ବେହେରା
ଏଇ ଜୀବନଟା ଗୋଟେ ବୁଝାମଣା
ତା’ର ଆଧାରରେ ରଖିବାକୁ ହୁଏ ସମନ୍ଵୟ,
ଅତୁଟ ପବିତ୍ର ରହେ ସଂପର୍କର ବନ୍ଧନ
ଏକ ଥିଲେ ପରସ୍ପରର ମନ ବୁଦ୍ଧି ହୃଦୟ।
ସମୟର ଆହ୍ଵାନରେ ହୁଏ ସଂଯୋଗ
ବିନିମୟ କରୁ ନିଜ ନିଜର ଭାବ,
ସ୍ଥାନ କାଳ ପାତ୍ରକୁ ନେଇ କରୁ ବିବେଚନା
ନିଜ ଦ୍ବାରା ହୁଏ ଯା’ କିଛି ସମ୍ଭବ।
କେବେ ହୁଏ ଯଦି ମତାନ୍ତରରେ ତର୍କ ବିତର୍କ
ଏକ ହୋଇ ରହେନା ଦୁହିଁଙ୍କର ଚିନ୍ତା ଚେତନା,
ବାକ୍ ଯୁଦ୍ଧରେ ଭୁଲ୍ ବୁଝିଲେ ଆସେ ବିତୃଷ୍ଣା
ଯା’ ସଦ୍ଭାବ ରଖିବାରେ ହୁଏ ଊଣା।
ତୁମେ ହୁଅ ଅବା ମୁଁ ପ୍ରକୃତିର ଯା’ ନିୟମ
ନ ମାନି ନ ପାଳି କଲେ ତାର କିଛି ବ୍ୟତିକ୍ରମ,
ଆସେ ସଂକଟ ମନ ହୁଏ ଉଚ୍ଚାଟନ
ବିଗିଡ଼ି ଯାଇ ବିଚାରଧାରା ଘଟେ ମତିଭ୍ରମ।
ବ୍ୟକ୍ତିଗତ ସ୍ଵାସ୍ଥ୍ୟଠାରୁ ସାମାଜିକ ବ୍ୟବସ୍ଥା
ଚାଲେ ସବୁ ସମୟର ଏକ ଶୃଙ୍ଖଳିତ ଧାରାରେ,
ରୁଚି ନୀତି ଆଦର୍ଶର ଗୁଣ ବଜାଇ ରଖି
ଜଣେ ପ୍ରତିଷ୍ଠିତ ହୁଏ ତା’ର ଅଧ୍ୟବସାୟରେ।
ସବୁଠି ରଖିବାକୁ ହୁଏ ନିଜର ବୁଝାମଣା
ତାର ଅଭାବ ହେଲେ ଘଟେ ନାନା ଅନର୍ଥ,
ଅବାନ୍ତରର ମନାନ୍ତରରେ ସୃଷ୍ଟିହୁଏ ହେୟଭାବ
ପ୍ରତିକୂଳରେ କୁଶକ୍ତି ଜୀବନକୁ କରେ ବ୍ୟର୍ଥ।
ରଖିବାକୁ ଠିକ୍ ନିଜର ଲକ୍ଷ୍ୟ ଓ ଠିକଣା
ପରିବେଶ ପରିସ୍ଥିତିକୁ କରିବାକୁ ହୁଏ ସାମ୍ନା,
ଋତୁ କ୍ରମରେ ପ୍ରକୃତି ସଦା ଦିଏ ପ୍ରେରଣା
ଏଇ ଜୀବନଟା ଗୋଟେ ବୁଝାମଣା …।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
