ଦେଶପ୍ରେମ
                  ( ରାଗ — ଚୋଖି )

   🖊️କବିରତ୍ନ ନୂତନ କୁମାର ବେହେରା

ଜନନୀ ଜନମଭୂମି ଶ୍ରୀପାଦେ ସଦା ପ୍ରଣମି
ସନ୍ତାନ ଅରଜେ ଯଶ ଖ୍ୟାତି ସୁନାମ,
ବେନିହେଁ ସୁଦୟା କରି କୋଳେ ରଖିଥାନ୍ତି ଧରି
ଆଶିଷର ସୁଧା ଢ଼ାଳୁ ଥା’ନ୍ତି ଅସୀମ,
ରୂପେ ପୁଣ୍ୟତୋୟା ଜାହ୍ନବୀ
ସନ୍ତାନର ଲାଗି ଦୁହେଁ ଅଟନ୍ତି ଦେବୀ/୧/

ଜନ୍ମଭୂମି ପାଇଁ ସେବା ତ୍ୟାଗ ସର୍ବଦା କରିବା
ସନ୍ତାନର ଲାଗି ହୁଏ ସେ ଦେଶପ୍ରେମ,
ନ୍ୟାୟ ନୀତି ଧର୍ମ ପାଳି ଏକତା ରକ୍ଷଣେ ଚଳି
ଉଡ଼ାଏ ଜୟ ପତାକା ଦେଶ ତମାମ,
ସ୍ଵଚ୍ଛ ହୃଦେ କରି କରମ
ବରପୁତ୍ର ପୁତ୍ରୀ ଭାବେ ରଖେ ସୁନାମ/୨/

ଜନ୍ମରୁ ଜୀବନ ଯାକ ସେବା ଯତ୍ନ ପାଇ ତାଙ୍କ
ସନ୍ତାନ ରୁହଇ ଋଣୀ ଆଜ୍ଞା ପାଳନେ,
କରଇ କରମ ଯେତେ ଜଗତ ଜନର ହିତେ
ଶ୍ରଦ୍ଧା ଭାବ ଆଣି ତାର ଚିନ୍ତା ଚିନ୍ତନେ,
ରୁହଇ ପବିତ୍ର ହୃଦୟେ
କରଇ ଶ୍ରମ ସାଧନା ତାଙ୍କରି ଜୟେ/୩/

ରୁହଇ ଯିଏ ବିମୁଖ ଆଳସ୍ୟରେ ପାଏ ଦୁଃଖ
ନିନ୍ଦଇ ଭାଗ୍ୟକୁ ତାର ହୋଇ ଅତିଷ୍ଠ,
ମାନେ ନା ବିଧି ବିଧାନ ନିଜ ସ୍ଵାର୍ଥେ କରେ ମାନ
ହୁଏ ନାହିଁ କର୍ତ୍ତବ୍ୟରେ ସେ ଏକନିଷ୍ଠ,
ବୁଝେନା ଦାନର ମହିମା
ଉଚ୍ଛୃଙ୍ଖଳେ ବିଶୃଙ୍ଖଳେ ଡିଅଁଇ ସୀମା/୪/

ମାତୃଭୂମି ସେବା ତ୍ୟାଗ ବୁଝେ ଯେ ରଖି ସରାଗ
ସ୍ତୁତି କରି ତାର ପାଶେ କହେ ବିନୟେ,
ଜନ୍ମଦିଅ ତାଙ୍କୁ ତୁମେ ରହିବେ ଯିଏ ଧରମେ
ଶାନ୍ତ ଶିଷ୍ଟ ନମ୍ର ଗୁଣେ ଥାଇ ନିର୍ଭୟେ,
ରଖିବେ ମାଆ’ର ସମ୍ମାନ
ସତ୍ୟ ପାଳି ଧର୍ମ ରଖି କାଟିବେ ଦିନ/୫/

ଦେଶପ୍ରେମ ଜାତି ମାନ ରଖିଥାଏ ସୁସନ୍ତାନ
ସମର୍ପିତେ କାଟେ ତାର ଜୀବନ କାଳ,
ସମୂହ କଲ୍ୟାଣେ ରହି ଦୁଃଖ କଷ୍ଟ ସବୁ ସହି
ଭବେ ଲଭିଥାଏ ସିଏ ପୁଣ୍ୟର ଫଳ,
ଆହରଣେ ରଖି ଆଦର୍ଶ
ସ୍ଵରାଜ୍ୟେ ପ୍ରଗତି ଆଣି ପହଞ୍ଚେ ଶୀର୍ଷ/୬/

କେବେ ଯଦି ଇନ୍ଦ୍ର ଆସି ଡାକି ତାଙ୍କୁ ହସି ହସି
କୁହନ୍ତି ସରଗ ସୁଖ ଦେବେ ଅମାପ,
ତୁମ ସନ୍ତାନ କହିବ ଲୋଡ଼ା ନାହିଁ ସେ ବିଭବ
ଜନନୀ ଜନ୍ମଭୂମିର ନାହିଁ ବିକଳ୍ପ,
କରିବ ଜୀବନ ଉତ୍ସର୍ଗ
ଭାବିବ ସେ ଅନୁକ୍ଷଣ ତୁମେ ହିଁ ସ୍ଵର୍ଗ/୭/

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା –୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *