ସଂକଟ ମୋଚନ ବୀର ହନୁମାନ

      ସଂକଟ ମୋଚନ ବୀର ହନୁମାନ
       ( ରାଗ — କଳହଂସ କେଦାର )

   🖊️କବିରତ୍ନ ନୂତନ କୁମାର ବେହେରା

ତ୍ରେତୟା ଯୁଗେ ଶ୍ରୀରାମ ଅବତାରେ
ଭକତ ହନୁମାନ ଥିଲେ ନିଷ୍ଠାରେ ଯେ,
ଭକ୍ତି ଶକ୍ତିର ବଳେ ଯେତେକ କାର୍ଯ୍ୟ
ହେଉଥିଲା ତାଙ୍କୁ ତ ଅତି ସହଜ ଯେ।

ମାତା ତାଙ୍କର ଧର୍ମପ୍ରାଣା ଅଞ୍ଜନା
ପିତା କେଶରୀ ଥିଲେ ସୁଦକ୍ଷ ସେନା ଯେ,
ବାଳୀ ସୁଗ୍ରୀବଙ୍କ ଶ୍ରଦ୍ଧେୟ ଭାଗ୍ନେୟ
କିଷ୍କିନ୍ଧ୍ୟା ସେନାପତି ଭାବେ ଅଜୟ ଯେ।

ବାଳି ସୁଗ୍ରୀବଙ୍କ ଭାତୃତ୍ବ ବିବାଦେ
ବିତାଡିତ ହେଲେ ପଦରୁ ବିଷାଦେ ଯେ,
ହୋଇ ସେ ସାନ ମାମୁଁର ପାରିଷଦ
ରକ୍ଷା କରୁଥିଲେ ଆସିଲେ ବିପଦ ଯେ।

ସୀତାଙ୍କୁ ହରଣ କରି ସେ ରାବଣ
ନେବାରୁ ଶ୍ରୀରାମ ହେଲେ ମ୍ରିୟମାଣ ଯେ,
ସୁଗ୍ରୀବ ସହିତେ କରାଇ ମିତ୍ରତା
ହନୁମାନ ହେଲେ ପରାମର୍ଶ ଦାତା ଯେ।

କିଷ୍କିନ୍ଧ୍ୟାରେ ବାଳୀକୁ ମାରି ଶ୍ରୀରାମ
ପ୍ରକାଶିଲେ ତାଙ୍କ ଦିବ୍ୟ ପରାକ୍ରମ ଯେ,
ମନ୍ତ୍ରଣା କଲେ ସବୁ ବସି ଏକାଠି
ଖୋଜିବେ ମା’ ସୀତା ଅଛନ୍ତି କେଉଁଠି ଯେ ?

ହନୁମାନ ଗଲେ ସମୁଦ୍ରକୁ ଡେଇଁ
ସୀତା ଦେବୀଙ୍କୁ ଠାବ କରିବା ପାଇଁ ଯେ,
ଅଶୋକ ବନରେ ମାତାଙ୍କୁ ସେ ଭେଟି
ରାମଙ୍କ ସମ୍ବାଦ ହେଲେ ଗୋଟି ଗୋଟି ଯେ।

ଶୁଣି ସବୁ ସୀତା ମାତା ହେଲେ ପ୍ରୀତ
ହନୁମାନ ପ୍ରତି ଦୟା କରି ଜାତ ଯେ,
ପ୍ରଦାନ କରିଲେ ତାଙ୍କୁ ଆଶୀର୍ବାଦ
କହିଲେ ଶ୍ରୀରାମ ତାରିବେ ବିପଦ ଯେ।

ହନୁମାନଙ୍କୁ ଦେଖି ସେ ଲଙ୍କାପୁରେ
ରାକ୍ଷସ ମାନେ ଲଢିଲେ ତା’ ସାଥିରେ ଯେ,
ନେଇ ପହଞ୍ଚାଇଲେ ରାବଣ ପାଶେ
ବଧ କରିବାକୁ ହିଂସ୍ର ମାନସେ ଯେ।

ଲଗାଇବାରୁ ତାଙ୍କ ଲାଙ୍ଗୁଡ଼େ ନିଆଁ
ଲଙ୍କା ଜାଳି ଦେଲେ ମାରି ମାରି ଡିଆଁ ଯେ,
ସୁନାର ଲଙ୍କାକୁ କରି ଛାରଖାର
ଦେଖାଇଲେ ସାହସ ଶକ୍ତି ତାଙ୍କର ଯେ।

ସଂକଟ ମୋଚନ ବୀର ହନୁମାନ
ପ୍ରଭୁଙ୍କୁ ମଣୁଥିଲେ ଜୀବ ଜୀବନ ଯେ,
ଆଜ୍ଞାରେ ତାଙ୍କର ହୋଇ ଅନୁଗତ
ସେବକ ଭାବରେ ଥିଲେ କାର୍ଯ୍ୟରତ ଯେ।

ମୁଖେ ଧରି ସଦା ଶ୍ରୀରାମଙ୍କ ନାମ
କରୁଥିଲେ ଗୁଣଗାନ ସେ ଅସୀମ ଯେ,
ପ୍ରଭୁଙ୍କର ଭକ୍ତ ଭାବେ ପ୍ରିୟପାତ୍ର
ଥିଲେ ନମ୍ର ଶାନ୍ତ ଉଦାର ପବିତ୍ର ଯେ।

ହେବାରୁ ଲକ୍ଷଣଙ୍କର ଶକ୍ତିଭେଦ
ପ୍ରଭୁ ଶ୍ରୀରାମଙ୍କ ବଢିଗଲା ଖେଦ ଯେ,
ଆକାଶ ମାର୍ଗେ ଉଡ଼ି ସେ ହନୁମାନ
ବୋହି ଆଣିଲେ ଯାଇ ଗନ୍ଧମାର୍ଦ୍ଦନ ଯେ।

ମହୀରାବଣ ଚୋରାଇ ପାତାଳରେ
ରାମ ଲକ୍ଷ୍ମଣଙ୍କୁ ରଖିଲା ଗୁପ୍ତରେ ଯେ,
ହନୁମାନ ବେଗେ ପାତାଳକୁ ଯାଇ
ଉଦ୍ଧାରି ଆଣିଲେ କାନ୍ଧରେ ବସାଇ ଯେ।

ସୀତାରାମ ରାମସୀତା ମହାମନ୍ତ୍ର
ହୃଦୟେ ଅହରହ ଥିଲା ସ୍ଵତନ୍ତ୍ର ଯେ,
ଦେଖାଇଲେ ସୀତାରାମ ଛାତି ଚିରି
ଭକ୍ତ ଶିରୋମଣି ସେ ପ୍ରମାଣ କରି ଯେ।

ଶ୍ରୀରାମ ହନୁମାନ ଯେ ହରିହର
କୃପାରେ ତାଙ୍କର ରହିଛି ସଂସାର ଯେ,
ଭକତ ଭାବରେ ସେ ଚିର ଅମର
ସଂକଟ ମୋଚନ ହନୁମାନ ବୀର ଯେ।

ହନୁମାନ ଚାଳିଶା କଲେ ପଠନ
ବିପଦୁଁ ରକ୍ଷା ପାଇଥାଏ ବିପନ୍ନ ଯେ,
ଆଜନ୍ମ ବ୍ରହ୍ମଚାରୀ ସେ ହନୁମାନ
ଶରଣେ ତାଙ୍କର ତରେ ଭକ୍ତଜନ ଯେ।

ବୈଶାଖ ପହିଲି ବିଷୁବ ସଂକ୍ରାନ୍ତି
ପାଳିତ ହୁଅଇ ତାଙ୍କର ଜୟନ୍ତୀ ଯେ,
ଓଡ଼ିଆ ନବବର୍ଷ ରୂପେ ଗଣନ୍ତି
ପଞ୍ଜିକାରେ ପବିତ୍ର ପୁଣ୍ୟ ଏ ତିଥି ଯେ।

ଜୟ ହନୁମାନ ଶ୍ରୀରାମ ଭକତ
ଶ୍ରେଷ୍ଠ ଭକ୍ତ ଭାବେ ଜଗତେ ବିଖ୍ୟାତ ଯେ,
କେଶରୀ ନନ୍ଦନ ଅଞ୍ଜନାଙ୍କ ସୁତ
ସେ ସର୍ବଦା କରନ୍ତି ସବୁରି ହିତ ଯେ।

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *