ସୀତା ଠାବ ପାଇଁ ମନ୍ତ୍ରଣା
ସୀତା ଠାବ ପାଇଁ ମନ୍ତ୍ରଣା
( ରାଗ — କଳହଂସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ମାୟା ମୃଗ ପଛେ ପଛେ ଧାଇଁ ବେଗେ,
ଶ୍ରୀରାମ ଲକ୍ଷ୍ମଣ ଫେରିଲେ ବିରାଗେ ଯେ।
ଦେଖିଲେ କୁଟୀରରେ ନାହାଁନ୍ତି ସୀତା,
ଖୋଜି ନପାଇ କଲେ ବହୁତ ଚିନ୍ତା ଯେ।।୧।।
ଖୋଜି ଯିବାର ବାଟେ ଜଟାୟୁ ଡାକି,
ମୁମୂର୍ଷେ କହିଲା ଅଟକି ଅଟକି ଯେ ।
ଲଙ୍କାର ରାବଣ କରିଛି ହରଣ,
ମାତାଙ୍କୁ ନେଲା ସେ ରଥେ ବସାଇଣ ଯେ।।୨।।
ଲଢ଼ି ନ ପାରିଲି ତାଙ୍କୁ ରକ୍ଷାକରି,
ଡେଣା କାଟି ମୋ ଦେଲା ସେ ଦୁରାଚାରୀ ଯେ।
ଏ ଦିଗରେ ନେଲା ପୁଷ୍ପକ ବିମାନେ,
କାନ୍ଦୁଥିଲେ ସୀତା ଅଶ୍ରୁଳ ନୟନେ ଯେ।।୩।।
ତହୁଁ ପଥେ ମଧ୍ୟେ ଦେଖି ଅଳଙ୍କାର,
ସୀତାଙ୍କର ଜାଣି ହୋଇଲେ ଅସ୍ଥିର ଯେ।
କିଏ ସେ ରାବଣ କେଉଁଠି ତା ଲଙ୍କା
କେମନ୍ତେ ଠାବ କରିବେ ଇଲାକା ଯେ।।୪।।
ଖୋଜି ଖୋଜି ଗଲେ ଦୁହେଁ ଋଷ୍ୟମୁଖେ,
ସୁଗ୍ରୀବ ଥିଲା ତହିଁ ବହୁତ ଦୁଃଖେ ଯେ।
ପ୍ରମାଦ ଗଣିଲା ବେନିଙ୍କୁ ଦେଖିଣ,
କିଷ୍କିନ୍ଧ୍ୟାର ବାଳୀ ଚାହେଁ ତା’ ମରଣ ଯେ।।୫।।
ହାତେ ଧନୁଶର ଋଷି ଭଳି ବେଶ,
ବୀର ଦର୍ପ ଠାଣି ମୁଣ୍ଡେ ଲମ୍ବା କେଶ ଯେ।
ଛଦ୍ମବେଶେ ବାଳୀ ଆସୁଛି ନିଶ୍ଚତେ ,
ଏମନ୍ତ ଭାବି ସୁଗ୍ରୀବ ବିଚଳିତେ ଯେ।।୬।।
ସାନ୍ତ୍ଵନା ଦେଇ ତା’ ମନ୍ତ୍ରୀ ହନୁମାନ,
ତାଙ୍କ ପାଶେ ଯାଇ ପୁଛିଲେ କାରଣ ଯେ।
ଜାଣିଲେ ବୁଝି ସେ ଏ ପ୍ରଭୁ ଶ୍ରୀରାମ,
ଦେଇ ତା’ ପରିଚୟ କଲେ ପ୍ରଣାମ ଯେ।।୭।
ସୁଗ୍ରୀବ ପାଶେ ନେଇ ରାମ ଲକ୍ଷ୍ମଣେ,
ଅଭ୍ୟର୍ଥନା କଲେ ତାଙ୍କ ଶ୍ରୀଚରଣେ ଯେ।
ବେନି ଜନଙ୍କ ସମ ଯଶା ଥିବାରୁ,
ସମ୍ଭାଷଣେ ଜାଣିଲେ ତା ବଚନରୁ ଯେ।।୮।।
ଶ୍ରୀରାମ ସୁଗ୍ରୀବ ମଧ୍ୟରେ ମିତ୍ରତା,
ବଢିଇ ଦେଲା ଦୁହିଁଙ୍କ ଆତ୍ମୀୟତା ଯେ।
ହୃଦୟେ ଭରି ଥିଲା ବହୁ ଯନ୍ତ୍ରଣା,
ଲାଘବ କରିବାକୁ କଲେ ମନ୍ତ୍ରଣା ଯେ।।୯।।
ବାଳୀ ବଧି ସୁଗ୍ରୀବେ କରିବେ ରାଜା,
ଉଡ଼ିବ କିଷ୍କିନ୍ଧ୍ୟାରେ ବିଜୟ ଧ୍ଵଜା ଯେ।
ମିତ୍ରତା ପଣେ ସୁଗ୍ରୀବ ଏକ ମତ
ସହଯୋଗେ ରାମଙ୍କର ହୋଇ ମିତ ଯେ।୧୦।
କରି ବାଳୀ ବଧ ପୂର୍ଣ୍ଣ କଲେ ଆଶା,
ସୀତାଙ୍କ ଠାବ ପାଇଁ ଦେଲେ ଭରସା ଯେ।
ଭ୍ରମି ସୁଗ୍ରୀବର ପାତ୍ର ମନ୍ତ୍ରୀ ସର୍ବେ,
ସମୂହ ବାନର ସନ୍ଧାନ କରିବେ ଯେ।।୧୧।।
ଯେତେ ବୀର ସାହସୀ ଥିଲେ ବାନର,
ଚତୁର୍ଦ୍ଦିଗେ ଗଲେ ନେବାକୁ ଖବର ଯେ।
ସମୁଦ୍ର ଲଙ୍ଘି ଗଲା ସେ ହନୁମାନ,
ଲଙ୍କାରେ ଯାଇ କରିଲା ପଦାର୍ପଣ ଯେ।।୧୧।
ଆକାଶ ମାର୍ଗେ ଉଡି ଉଡି ଚତୁରେ,
ଦେଖିଲେ ସୀତାଙ୍କୁ ଅଶୋକ ବନରେ ଯେ।
ଅଛନ୍ତି ସେ ଅତିଶୟ ଦୁଃଖ କଷ୍ଟେ ,
ତହୁଁ ହନୁମାନ ଗଲେ ଶାନ୍ତ ଶିଷ୍ଟେ ଯେ।୧୨।
ସୀତାଙ୍କୁ ଭେଟି ସେ ଦେଲେ ପରିଚୟ,
ରାମଙ୍କ ଆଙ୍ଗୁଠି ଦେଖିଣ ଅଭୟ ଯେ।
ଠାବ କରି ଫେରିଲେ ନେଇ ବାରତା,
କହିଲେ ଆସି ଉଦ୍ଧାରିବାକୁ ସୀତା ଯେ।।୧୩।
ବାନ୍ଧି ସେତୁ ବନ୍ଧ କଲେ ଲଙ୍କା ଯୁଦ୍ଧ,
ପାପୀ ରାବଣକୁ କଲେ ବାରେ ବଧ ଯେ।
ସୀତାଙ୍କୁ ଉଦ୍ଧାରି ରଖିଲେ ସମ୍ମାନ
ପ୍ରଭୁ ଶ୍ରୀରାମ ଜଗତର ଜୀବନ ଯେ।।୧୪।
ଜୟ ସୀତାରାମ ଜୟ ହନୁମାନ,
ମିତ୍ର ସୁଗ୍ରୀବ ସାଥେ ଅଙ୍ଗଦ ମାନ ଯେ।
ସୀତା ଠାବ ପାଇଁ ମନ୍ତ୍ରଣା ଏ ଜାଣ,
ପ୍ରଭୁ ରାମ ଭଗବାନ ଆର୍ତ୍ତତ୍ରାଣ ଯେ।।୧୫।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
