ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୫
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୫ । କନ୍ଧମାଳ ତା ୧୨.୦୬.୨୦୨୫ ଫୁଲବାଣୀ ସ୍ଥାନୀୟ କରୋନେସନ୍ ପଡ଼ିଆ, ଫୁଲବାଣୀ ଠାରେ ରାଜ୍ୟ ସରକାରଙ୍କର ୧ ବର୍ଷ ପୂର୍ତ୍ତି ଅବସରରେ ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୫ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକଙ୍କ କରକୋମଳରେ ଉଦ୍ ଘାଟନ ହୋଇଯାଇଅଛି। ଏହି ଅବସରରେ ଶ୍ରୀ ମଲ୍ଲିକ ଏକ ବର୍ଷ ମଧ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ବର୍ଣ୍ଣନା କରିବା ସହିତ କହିଥିଲେ ଯେ ସରକାର ତଳ ଶ୍ରେଣୀର ଲୋକଙ୍କ ପଯ୍ୟନ୍ତ ବିକାଶ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ।ଏହି ମେଳା ତା.୧୨.୦୬.୨୦୨୫ରିଖ ଠାରୁ ତା.୨୦.୦୬.୨୦୨୫ରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।ସରକାରଙ୍କର ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନ ଓ ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ଅବଗତ ଓ ଜନସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟରେ। ଓରମାସ ତରଫରୁ ଉତ୍ପାଦିକା ଗୋଷ୍ଠୀ ଓ FPO ମାନଙ୍କୁ ସେମାନଙ୍କ ଉତ୍ପାଦ ଗୁଡ଼ିକର ବିକ୍ରୟ ବ୍ୟବସ୍ଥା କରାଯାଇଛି ଏବଂ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଅଛି।ସେହିପରି ବିକାଶ ରଥ ସମସ୍ତ ବ୍ଲକ ରୁ ବାହାରି ସମସ୍ତ ପଂଚାୟତ ମାନଙ୍କରେ ଜନସଚେତନତା ସୃଷ୍ଟି କରିବେ । ସମସ୍ତ ଅଞ୍ଚଳକୁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜଳସେଚନ ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ସମସ୍ତ ବିଭାଗ ପ୍ରତିବଦ୍ଧତାର ସହ କାମ କରିବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରିବେ । କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଲୋକକଳା ଓ ଶାସ୍ତ୍ରୀୟ ନୃତ୍ୟ ଭିତ୍ତିକ ଉତ୍କୃଷ୍ଟ ମାନର କାର୍ଯ୍ୟକ୍ରମ ଲୋକମାନଙ୍କର ମନୋରଞ୍ଜନ କରିଥିଲା।
ଏହି ଉଦ୍ ଘାଟନ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଭାଜପା ଜିଲ୍ଲା ସଭାପତି ପଣ୍ଡିତ ବିସି ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜନ ପ୍ରତିନିଧି, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବିଭିନ୍ନ ସାଂସ୍କୃତିକ ଦଳର କଳାକାରମାନେ,ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
