ତୁ ପ୍ରଭୁ ଜଗନ୍ନାଥ
ଶୁଭ ସକାଳ ଶୁଭମୟ ହେଉ 🌺🌹🌺
ଆଜି ପାଇଁ ତୀର୍ଥକ୍ଷେତ୍ର କୁ ନିମ୍ନ ଭକ୍ତି କବିତାଟି ପଠାଇଲି 🙏💚💐💐💐
ତୁ ପ୍ରଭୁ ଜଗନ୍ନାଥ
( ରାଗ — କାମୋଦୀ )
✍🏼କବିରତ୍ନ ନୂତନ କୁମାର ବେହେରା
ତୁ ପ୍ରଭୁ ଜଗନ୍ନାଥ ଏ ନୟନର ପଥ
ହୃଦୟେ ପ୍ରଣବ ଓଁ’କାର,
ତୁ ଜୀବର ଜୀବନ ଶରୀର ରଥେ ମନ
ସାରଥି ରୂପେ ନିରାକାର,
ହେ ଚକ୍ରଧର,
ଧରିଛୁ ହାତେ ଭାଗ୍ୟ ଡ଼ୋର
ଚଳାଉ ଇଙ୍ଗିତରେ ତୋର,
କଣ୍ଢେଇ ସମ ହୋଇ ଜୀବଟିଏ ନାଚଇ,
ତାଳ ଛନ୍ଦରେ ନିରନ୍ତର,ହେ ଚକ୍ରଧର।୧।
ଚାରି ଯୁଗରେ ଦଶ ଅବତାରର ବେଶ
ନେଇ ନାଶିଲୁ ଦୁଷ୍ଟ କୁଳ,
ଅବନି କଲୁ ଶାନ୍ତ ହୋଇଲା ଋଦ୍ଧିମନ୍ତ
ସନ୍ଥେ ପାଇଲେ ପୁଣ୍ୟଫଳ,
ହେ ସୂତ୍ରଧର,
ତୋ’ଠାରେ କରନ୍ତି ଜଣାଣ
ନିଜକୁ କରି ସମର୍ପଣ,
ତୁ ଯେ ସବୁରି ଆଶା ହେଉ ସାହା ଭରସା
ତୁ ସବୁ କାର୍ଯ୍ୟର କାରଣ,ହେ ଚକ୍ରଧର।୨।
ସବୁରି କଥା ଚିନ୍ତୁ ନ ରଖି ମନେ କିନ୍ତୁ
ତୋ ପାଶେ ନାହିଁ ପକ୍ଷପାତ,
କରମକୁ ବିଚାରି ଦେଉ ତୁ ମଜୁରୀ
ଯାହାର ଯା’ ହୁଏ ଉଚିତ,
ହେ ପ୍ରାଣ ମିତ,
ଆତ୍ମା ଆତ୍ମାରେ ତୋ ମହିମା
ପ୍ରକାଶୁ ହୋଇ ତୁ ମଣିମା,
ପାପୀଙ୍କୁ ତୁ ସଂହାରି ସାଧୁ ସନ୍ଥଙ୍କୁ ତାରି
ଦଶା ଦୋଷ କରୁ ଯେ କ୍ଷମା, ହେ ପ୍ରାଣ ମିତ।୩।
ତୁ ଭାବର ଠାକୁର ଜାଣେ ସାରା ସଂସାର
ଭାବକୁ ହେଉ ତୁ ନିକଟ,
ନାମରେ ଭାବଗ୍ରାହୀ ମନକୁ ନେଉ ମୋହି
ଜୀବନେ ଦେଖାଉ ସୁ-ବାଟ,
ହେ ଜଗନ୍ନାଥ,
ରଖ ବାରେ ତୋର ଚରଣେ
ତୋ ପାଶେ ରହିବାକୁ ଧ୍ୟାନେ,
ପାଇ ତୋ ଆଶୀର୍ବାଦ ଘୁଞ୍ଚିବ ଅବସାଦ
କାମନା ନ ଥିବ ଜୀବନେ,ହେ ଜଗନ୍ନାଥ।୪।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
