ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି

ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବୁଲିବାକୁ ଚାଲି ଆସିଛନ୍ତି। ସେପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି। ନବବିବାହିତା ମା’ଲକ୍ଷ୍ମୀ ଠାକୁରାଣୀ ୫ ଦିନର ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ।ଏହି ପରମ୍ପରା ଆଧାରରେ ଗତକାଲି ରାତିରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଯାଇଛନ୍ତି।ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ। ସେବାୟତମାନେ ମା’ଙ୍କୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ବାଟ ସାରା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହୋଇଥିଲା। ପରେ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲେ ମଧ୍ୟ ଧୂପ ଚାଲିଥିବାରୁ ଦୁଇଟି ଯାକ ଦ୍ଵାର ବନ୍ଦ କରି ଦିଆଯାଇଥିଲା। ଅପମାନରେ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗ ତମତମ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ, ଫେରିବା ସମୟରେ ଆଉ ସେଭଳି ପରିବେଶ ନ ଥିଲା। ରାଗରେ ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିରକୁ ନଆସି ନିରାଡ଼ମ୍ବର ପରିବେଶ ଭିତରେ ହେରାଗୋହିରି ସାହି ଦେଇ ଫେରିଥିଲେ। ବିଳମ୍ବିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ।
ବାଇଟ୍ ୧ – ପ୍ରିୟଦର୍ଶିନୀ ,ଭକ୍ତ ,ଭୁବନେଶ୍ୱର
ବାଇଟ୍ ୨ – ନବକିଶୋର ପତି ମହାପାତ୍ର ,ପତି ମହାପାତ୍ର,ସେବାୟତ

Leave a Reply

Your email address will not be published. Required fields are marked *